ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା, କହିଲେ ମୁଁ ନ୍ୟାୟ ପାଇବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହରଡ଼ଘଣାରେ ପଡ଼ିଥିବା ତାଙ୍କ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଶେଷରେ ମୁହଁ ଖୋଲିଛନ୍ତି। ସତ୍ୟ ନିଶ୍ଚିୟ ପଦାକୁ ଆସିବ ଓ ସେ ନିଶ୍ଚିତ ନ୍ୟାୟ ପାଇବେ ବୋଲି ରିୟା ଦମ୍ଭୋକ୍ତି କରିଛନ୍ତି।

ଆଜି ଏକ ଭିଡିଓ ଜାରି କରି ସେ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଓ ଭଗବାନଙ୍କ ଉପରେ ମୋର ପୂରା ଭରସା ରହିଛି। ମୋତେ ନିଶ୍ଚୟ ନ୍ୟାୟ ମିଳିବ। ମୋ ସମ୍ବନ୍ଧରେ ଅନେକ ବଡ଼ ବଡ଼ କଥା କୁହାଯାଉଛି। ବିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମରେ ମୋତେ ବଦନାମ କରାଯାଉଛି। ଏହା ଉପରେ ବର୍ତ୍ତମାନ କୌଣସି ମନ୍ତବ୍ୟ ଦେବା ପାଇଁ ମୋ ଓକିଲ ମନା କରିଛନ୍ତି। କାରଣ ଏହାର ବିଚାର ବର୍ତ୍ତମାନ କୋର୍ଟରେ ରହିଛି। ସତ୍ୟ ମେବ ଜୟତେ। ସତ୍ୟର ନିଶ୍ଚିତ ବିଜୟ ହେବ ବୋଲି ସେ କହିଛନ୍ତି।


ସୂଚନାଯୋଗ୍ୟ, ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ବିହାର ପୁଲିସ୍‌ ନିକଟରେ ଏଫଆଇଆର ଦେଇଛନ୍ତି। ତେବେ ଏହାର ତଦନ୍ତ ପ୍ରକ୍ରିୟା ମୁମ୍ବାଇରେ କରିବାକୁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ରିୟା କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ବର୍ଷେ ହେବ ସେ ଓ ସୁଶାନ୍ତ ‘ଲିଭ୍ ଇନ୍ ରିଲେସନଶିପ’ରେ ଥିଲେ।

ରିୟା ନିଜ ଆବେଦନରେ କହିଛନ୍ତି ଯେ ସେ ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଫ୍ଲାଟ୍ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ। ସୁଶାନ୍ତ ଡ୍ରିପ୍ରେସନରେ ଥିଲେ ଏବଂ ଆଣ୍ଟି ଡ୍ରିପେସନ୍ ମେଡିସିନ୍ ନେଉଥିଲେ।