ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଗୋଟିଏ ପରେ ଗୋଟିଏ ଟିକାର ପରୀକ୍ଷା ରିପୋର୍ଟ ନୂଆ ଆଶା ସୃଷ୍ଟି କରିବାରେ ଲାଗିଛି। ଫାଇଜର, ମଡର୍ଣ୍ଣା, ସ୍ପୁଟନିକ-ଭି, କୋଭିସିଲ୍ଡ ଓ କୋଭାକ୍ସିନ ପରେ ଏବେ ଚାଇନାର ଶିନୋଫାର୍ମ କରୋନା ଟିକା ଭାଇରସକୁ ମାତ ଦେବାରେ ସକ୍ଷମ ହେଉଛି ବୋଲି ଦାବି କରାଯାଇଛି।
ୟୁଏଇ ସରକାର କହିଛନ୍ତି ଯେ ଶିନୋଫାର୍ମ ପ୍ରସ୍ତୁତ କରିଥିବା ଟିକା କରୋନାକୁ ମାତ ଦେବାରେ ୮୬% ସକ୍ଷମ। ୟୁଏଇରେ ଏହି ଟିକାର ଫେଜ୍-୩ ଟ୍ରାଏଲ ଚାଲିଛି। ଟ୍ରାଏଲରୁ ମିଳିଥିବା ତଥ୍ୟକୁ ଆଧାର କରି ୟୁଏଇ ସରକାର ଏଭଳି ସୂଚନା ଦେଇଛନ୍ତି।
ୟୁଏଇର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାର ଶିନୋଫାର୍ମ ପରୀକ୍ଷାମୂଳକ ଭାବେ କରୋନା ଟିକା ପ୍ରସ୍ତୁତ କରିଥିଲା। ଏହା କରୋନା ବିରୋଧରେ ପ୍ରଭାବ ଦେଖା ପାରୁଛି ବୋଲି କ୍ଲିନିକାଲ ଟ୍ରାଏଲରୁ ଜଣାପଡ଼ିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ କରୋନାକୁ ମାତ ଦେବା ପାଇଁ ଟିକା ପାଖରେ ୮୬% କ୍ଷମତା ରହିଛି।
ଜୁଲାଇ ମାସରୁ ହିଁ ଦେଶରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ମାସରେ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଏହି ଟିକା ଜରୁରୀ କାଳୀନ ଭିତ୍ତିରେ ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ଆଉ କିଛି ରିପୋର୍ଟ ଆସିବା ପରେ ସାମୂହିକ ଟିକାକରଣ ପାଇଁ ଅନୁମତି ଦିଆଯାଇ ପାରେ ବୋଲି ମନ୍ତ୍ରଣାଳୟ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।