କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ମୋଦି ସରକାରରେ ମନ୍ତ୍ରୀ ଥିବା ରାମ ବିଲାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପରି କି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି।

ଶନିବାର ତାଙ୍କ ହାର୍ଟ ସର୍ଜରୀ କରାଯାଇଥିଲା। ରାମ ବିଲାଶ ପାଶ୍ୱାନ ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରହିଥିଲେ। କିଛି ସପ୍ତାହ ହେଲାଣି ସେ ନିୟମିତ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଜୁଲାଇ ୧୨ ତାରିଖରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆର୍‌ଏମ୍‌ଏଲ୍‌ ହସ୍ପିଟାଲ୍‌ର ଆଇସିୟୁରେ ରଖାଯାଇଥିଲା। ଆଜି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତାଙ୍କ ପୁଅ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶ୍ୱାନ ଟ୍ୱିଟ କରି କହିଛନ୍ତି। ସେ କହିଛନ୍ତି, ପାପା ଏବେ ଆପଣ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ମୁଁ ଜାଣିଛି ଆପଣ ଯୋଉଠି ଥିବେ ମୋ ସହ ରହିଥିବେ। ଆଇ ମିସ୍‌ ୟୁ ପାପା।


ରାମ ବିଲାଶ ପାଶ୍ୱାନ ୧୯୪୬ ମସିହା ଜୁଲାଇ ୫ରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ମୋଦି ସରକାରରେ ଖାଦ୍ୟ କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରୁ ସେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ରହି ଆସିଛନ୍ତି। ୨୦୧୯ରେ ତାଙ୍କୁ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ଓ ଖାଦ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିଲେ।

ଆଗକୁ ବିହାର ନିର୍ବାଚନ। ଏଲଜେପି ଏନଡିଏର ସଦସ୍ୟ ରହିଥିଲେ ହେଁ ଏଥର ବିହାରରେ ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ଲଢ଼ିବ। ଏସବୁ ଭିତରେ ରାମ ବିଲାଶ ପାଶ୍ୱାନଙ୍କ ଦେହାନ୍ତ ଦଳ ପାଇଁ ବୋଛ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି।

ରାମ ବିଲାଶ ୮ଥର ଲୋକସଭାକୁ ଯାଉଥିବା ବେଳେ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ ରହିଛି। ୧୯୬୯ରେ ସେ ଶ୍ୟାମୟୁକ୍ତ ସୋସିଆଲିଷ୍ଟ ପାର୍ଟିର ଟିକେଟରୁ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଲୋକ ଦଳ ଗଠନ ହେବା ପରେ ସେ ଏଥିରେ ଯୋଗଦେଇଥିଲେ। ୧୯୭୭ରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଜନତା ପାର୍ଟି ଟିକେଟରୁ ହାଜିପୁର ଲୋକସଭା ଆସନରୁ ସଂସଦକୁ ଯାଇଥିଲେ। ଏହାପରେ ସେ ୧୯୮୦,୧୯୮୯,୧୯୯୬,୧୯୯୮,୧୯୯୯, ୨୦୦୪ ଓ ୨୦୧୪ରେ ଲୋକସଭାକୁ ଯାଇଥିଲେ।

୨୦୦୦ ମସିହାରେ ସେ ଲୋକ ଜନଶକ୍ତି ଦଳ ଗଠନ କରିଥିଲେ। ୨୦୦୪ରେ ସେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ସାମିଲ ହୋଇଥିଲେ। ୟୁପିଏ କ୍ଷମତାରେ ଥିବା ବେଳେ ସେ କେମିକାଲ ଆଣ୍ଡ ଫଟିଆଲାଇଜର ଓ ଷ୍ଟିଲ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରେ ସେ ଜିତିଥିଲେ ହେଁ ୨୦୦୯ରେ ପରାସ୍ତ ହୋଇଥିଲେ। ତେବେ ସେ ୨୦୧୦ରୁ ୨୦୧୪ ଯାଏ ରାଜ୍ୟସଭାକୁ ଯାଇଥିଲେ। ୨୦୧୪ ଲୋକସଭାରେ ସେ ବିଜୟୀ ହୋଇ ପୁଣି ସଂସଦକୁ ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।