ବିଜେପି ନେତା ଚିନ୍ମୟାନନ୍ଦଙ୍କ ଜାମିନ୍‌ ଆବେଦନ ଖାରଜ

ଲକ୍ଷ୍ନୌ: ଜଣେ କଲେଜ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଜେଲରେ ଥିବା ବିଜେପି ନେତା ଚନ୍ମୟାନନ୍ଦଙ୍କୁ ଆଜି ଉତ୍ତର ପ୍ରଦେଶର ଏକ କୋର୍ଟ ନିରାଶ କରିଛନ୍ତି। ସେ ଜେଲରୁ ମୁକୁଳିବା ପାଇଁ ଜାମିନ୍‌ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ବିଜେପିର ଏହି ବରିଷ୍ଠ ନେତା ଜଣଙ୍କ ନିଜ ଆଇନ୍‌ କଲେଜ୍‌ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ଦୀର୍ଘ ବର୍ଷ ହେଲା ଯୌନ ନିର୍ଯାତନା ଦେଇ ଆସୁଥିଲେ। ହେଲେ ପୀଡ଼ିତା ଜଣଙ୍କ ମୁହଁ ଖୋଲିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ଗତକାଲି ସେ ଶାହାଜାହାନପୁର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କୁ ଜାମିନ୍‌ ଆବେଦନ ପାଇଁ ସେସନ୍ସ କୋର୍ଟର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। କେବଳ ଚିନ୍ମୟାନନ୍ଦ ନୁହନ୍ତି, କୋର୍ଟ ଏହି ଘଟଣାର ଗିରଫ ହୋଇଥିବା ସଞ୍ଜୟ, ସଚିନ ଓ ବିକ୍ରମର ଜାମିନ୍ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।

ଅନ୍ୟପକ୍ଷରେ ଆଜି ସଚିନ ଓ ବିକ୍ରମକୁ ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ୯୫ ଘଣ୍ଟା ପାଇଁ ରିମାଣ୍ଡରେ ନେଇଛି। ଚିନ୍ମୟାନନ୍ଦଙ୍କୁ ପୀଡ଼ିତା ଓ ତାଙ୍କର ସମ୍ପର୍କୀୟମାନେ ଟଙ୍କା ପାଇଁ ଧମକ ଦେଇଥିଲେ। ତେଣୁ ମୋବାଇଲ ଫୋନ୍‌ ତଥ୍ୟ ହାସଲ ପାଇଁ ସଚିନ ଓ ବିକ୍ରମକୁ ପୁଲିସ୍ ରାଜସ୍ଥାନର ମେହେନ୍ଦିପୁର ବାଲାଜୀକୁ ନେଇଛି। ସେହିପରି ଚିନ୍ମୟାନନ୍ଦଙ୍କ ଓକିଲଙ୍କ ଫୋନକୁ ମଧ୍ୟ ଧମକପୂର୍ଣ୍ଣ ମେସେଜ ଆସିଥିବା ଅଭିଯୋଗ ହୋଇଥିବାରୁ ପୁଲିସ୍ ଉକ୍ତ ଫୋନକୁ ମଧ୍ୟ ଜବତ କରିଛି।
ଶୁକ୍ରବାର ଗିରଫ ହୋଇଥିବା ଚିନ୍ମୟାନନ୍ଦଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି। ହେଲେ ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।