ଖଣି ମାଫିଆ ପିଛା କରୁଥିବା ପୁଲିସ୍‌ ଉପରେ ଫାୟାରିଂ; ମହିଳା ମୃତ, ୫ ପୁଲିସ୍‌ ଗୁରୁତର

ଡେରାଡୁନ:ଜଣେ ଖଣି ମାଫିଆକୁ ଧରିବାକୁ ଉତ୍ତରାଖଣ୍ଡ ଯାଇଥିବା ଉତ୍ତରପ୍ରଦେଶ ପୁଲିସ୍‌ ହଟହଟାର ସମ୍ମୁଖନ ହୋଇଛି। ଏପରିକି ସାଦା ପୋଷାକରେ ଥିବା ପୁଲିସ୍‌ କର୍ମୀଙ୍କୁ ସ୍ଥାନୀୟ ଲୋକେ ବନ୍ଧକ ରଖି ଫାୟାରିଂ କରିଥିଲେ। ଏପରିକି ଉଭୟ ପକ୍ଷଙ୍କ ଗୁଳି ଚାଳନାରେ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ  ମୃତ୍ୟୁ ହୋଇଥିବା ବେଳେ ୫ ପୁଲିସ୍‌ କର୍ମୀ ଗୁରୁତର ହୋଇଛନ୍ତି। ଏଥିସହ ୨ ପୁଲିସ୍‌ କର୍ମୀ ନିଖୋଜ ଥିବା ଜଣାଯାଇଛି।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଦେଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଉତ୍ତରାଖଣ୍ଡର କାଶୀପୁରରେ ଘଟିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ୟୁପିର ମୁରାଦାବାଦ ପୁଲିସ୍‌ ଜାଫର ନାମକ ଖଣି ମାଫିଆକୁ ଗୋଡ଼ାଇ ଗୋଡ଼ାଇ ଉତ୍ତରପ୍ରଦେଶରୁ ଉତ୍ତରାଖଣ୍ଡର କାଶୀପୁରରେ ପ୍ରବେଶ କରିଥିଲା। ଜାଫର ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଥିଲା।  ସାଦା ପୋଷାକରେ ଥିବା ୟୁପି ପୁଲିସ୍‌ ଟିମ୍‌ କାଶୀପୁରରେ ପହଞ୍ଚିବା ବେଳକୁ ଜାଫର ଏକ ଘରେ ଲୁଚି ଯାଇଥିଲା। ଏହାଦେଖି ପୁଲିସ୍‌ ଟିମ୍‌ ଉକ୍ତ ଘରେ ପଶିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ କିଛି ପୁଲିସ୍‌ କର୍ମୀଙ୍କୁ ବନ୍ଧକ ରଖିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ କ୍ରସ ଫାୟାରିଂ ହୋଇଥିଲା।   ଏଥିରେ ୫ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାଯାଇଛି। ଏହାବାଦ ୨ ପୁଲିସ୍‌ କର୍ମୀ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜିବା କାମ ଜୋରସୋରରେ ଚାଲିଛି।

ପୁଲିସ୍‌ କର୍ମୀଙ୍କ ପାଲଟା ଗୁଳି ଚାଳନାରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଜେପି ନେତା ଗୁରତାଜଙ୍କ ପତ୍ନୀ  ଗୁରପ୍ରୀତ ଆଖି ବୁଜିଥିବା ଜଣାଯାଇଛି। କିଛି ପୁଲିସ୍‌ କର୍ମୀ ନିଶାସକ୍ତ ଅବସ୍ଥାରେ ଥିବା ମୃତା ଗୁରପ୍ରୀତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ଉଭୟ ପକ୍ଷ ଥାନାରେ ମାମଲା ରୁଜୁ କରିଛନ୍ତି। ଉତ୍ତରାଖଣ୍ଡ ପୁଲିସ୍‌ ମାମଲାର ଯାଞ୍ଚ ଆରମ୍ଭ କରିଥିବା ବେଳେ ଖଣି ମାଫିଆ ଜାଫର ଫେରାର ହୋଇଯାଇଛି।

ଉତ୍ତରପ୍ରଦେଶ ପୁଲିସ୍‌ ବିନା ସୂଚନାରେ ଆମ ରାଜ୍ୟରେ ପ୍ରବେଶ କରିଥିବା ବେଳେ ସେମାନେ ସାଦା ପୋଷାକରେ ଥିଲେ। ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ମହିଳାଙ୍କ ମୃତ୍ୟୁ କାହା ବନ୍ଧୁକ ଗୁଳିରୁ ହୋଇଛି ସେ ନେଇ ଜଣାପଡ଼ିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରାଖଣ୍ଡ ଡିଆଇଜି କହିଛନ୍ତି। ଏଥିସହ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍‌ ନାଁରେ ହତ୍ୟା ମାମଲା ରୁଜୁ  ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।