ଭାରତ ବିରୋଧରେ ଏଫ-୧୬ ବ୍ୟବହାର କରିବା ମହଙ୍ଗା ପଡ଼ିଲା, ପାକିସ୍ତାନକୁ ଟାର୍ଗେଟ କଲା ଆମେରିକା

ୱାଶିଂଟନ୍‌: ବାଲାକୋଟ ଏୟାର ଷ୍ଟ୍ରାଇକର ବଦଲା ନେବାକୁ ଭାରତ ବିରୋଧରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ଆମେରିକା ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ପାକିସ୍ତାନ ଏଫ୍‌-୧୬ର ଅପବ୍ୟବହାର କରିଥିବାରୁ ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ସଦସ୍ୟ ଆଣ୍ଡ୍ରେ ଥୋମସନ ଚିଠି ଲେଖି ପାକିସ୍ତାନ ବାୟୁସେନା ମୁଖ୍ୟଙ୍କୁ ସମାଲୋଚନା କରିଛନ୍ତି।

ତେବେ ସେ ଚିଠିରେ ପାକିସ୍ତାନ ପଡ଼ୋଶୀ ଭାରତ ବିରୋଧରେ ଯେ ଏଫ୍‌-୧୬ର ବ୍ୟବହାର କରିଥିଲା ବୋଲି ଉଲ୍ଲେଖ କରିନାହାନ୍ତି। ଏଫ୍‌-୧୬ ଯୁଦ୍ଧ ବିମାନ କିଣିବା ବେଳେ ପାକିସ୍ତାନ ଆମେରିକା ସହ କରିଥିବା ଚୁକ୍ତିକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଆନ୍ଦ୍ରେ ତାଙ୍କ ଚିଠିରେ ଲେଖିଛନ୍ତି। ଏଥିସହ ପାକିସ୍ତାନକୁ କାରଣ ଦର୍ଶାଇବାକୁ ମଧ୍ୟ କହିଥିବା ଜଣାପଡ଼ିଛି।

ପୁଲୱାମା ହମଲା ପରେ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ପ୍ରତିଶୋଧ ନେବାକୁ ପାକିସ୍ତାନ ତା’ ପରଦିନ ସକାଳେ ଏଫ-୧୬ ଯୁଦ୍ଧ ବିମାନ ଧରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲେ।

ତେବେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲେ। ଶେଷରେ ଭାରତ ପକ୍ଷରୁ ଏଫ-୧୬ରେ ବ୍ୟବହାର କରାଯାଉଥିବା ଆମରମ ଦେଖାଇ ପାକିସ୍ତାନର ମୁଖା ଖୋଲି ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।