ସବୁ ବିପଦରେ ଭାରତ ସହ ରହିବ ଆମେରିକା

ନୂଆଦିଲ୍ଲୀ: ଭାରତ ମାଟିରୁ ଚାଇନାକୁ ଖୋଲାଖୋଲି ଧମକ ଦେଇଛି ଆମେରିକା। ଉଭୟ ଚାଇନା ଓ ପାକିସ୍ତାନ ପଟୁ ବିପଦ ବଢ଼ୁଥିବାରୁ ଆଜି ଭାରତକୁ ଆମେରିକା ସହଯୋଗର ହାତ ବଢ଼ାଇଛି। ଭାରତର ବିପଦ ସମୟରେ ଆମେରିକା ସବୁବେଳେ ନୂଆଦିଲ୍ଲୀ ସହ ରହିବ ବୋଲି ଆଜି ୱାଶିଂଟସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ୨+୨ ଆଲୋଚନା ପାଇଁ ଭାରତ ଗସ୍ତରେ ଥିବା ଆମେରିକାର ପର ରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି, ଭାରତର ଅଖଣ୍ଡତା ଓ ସାର୍ବଭୌମତକୁ ଅକ୍ଷୁଣ୍ଣ ରଖିବା ଦିଗରେ ଆମେରିକା ସର୍ବଦା କାର୍ଯ୍ୟ କରୁଛି।

ଆଜି ପୋମ୍ପେଓ ଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୋମ୍ପେଓ କହିଛନ୍ତି, ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କୁ ଆମେ ଆଜି ସମ୍ମାନ ଜଣାଇଛୁ। ଭାରତ ତା’ର ଅଖଣ୍ଡତା ଓ ସାର୍ବଭୌମତକୁ ରକ୍ଷା କରିବା ପାଇଁ ଯେଉଁ ସବୁ କାମ କରୁଛି, ସେଥିରେ ଆମେରିକା ସବୁବେଳେ ରହିଛି। ଆମେରିକା ଓ ଭାରତ ଏକାଠି କାମ କରି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି।

ଚାଇନାକୁ ଟାର୍ଗେଟ କରି ସେ କହିଛନ୍ତି, କରୋନା ଭାଇରସ ମହାମାରୀ ଉହାନରୁ ଆସିଥିଲା। ଆମ ନେତା ଓ ଜନସାଧାରଣ ବୁଝି ଗଲେଣି ଯେ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି କେବେ ହେଲେ ଗଣତନ୍ତ୍ରର ବନ୍ଧୁ ନୁହନ୍ତି। ସେହିପରି ଚାଇନା କେବେ ହେଲେ ନିୟମ ମାନେନାହିଁ କିମ୍ବା ସ୍ୱଚ୍ଛତାର ସହ କାମ କରେ ନାହିଁ।

ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଭାରତ ଓ ଆମେରିକା ମିଳିତ ଭାବେ ସବୁ ବିପଦର ଦୃଢ଼ ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେବେ। ବିଶେଷ କରି ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଭାରତ ପ୍ରତି ରହିଥିବା ସବୁ ବିପଦର ମୁକାବିଲା ପାଇଁ ଆମେରିକା ସହଯୋଗ କରିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।