ଟିକା ନେଇ କାହିଁକି କରୋନାରେ ସଂକ୍ରମିତ ହେଲେ ମନ୍ତ୍ରୀ? ଉତ୍ତର ଦେଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ପ୍ରଥମ କରୋନା ଟିକାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନଭେମ୍ବର ୨୦ରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନ ନେଇଥିବା ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍‌ ଆଜି କୋଭିଡ-୧୯ରେ ସଂକ୍ରମିତ ହେବା ପରେ ଲୋକଙ୍କ ମନରେ ଟିକାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

କ’ଣ ଟିକା ସୁରକ୍ଷିତ ନୁହେଁ? କ’ଣ ଭାରତ ବାୟୋଟେକ୍‌ର ରିସର୍ଚ୍ଚ ଫେଲ ମାରିଲା? କ’ଣ ଟିକା ପାଇଁ ଆହୁରି ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ? ଏମିତି ଅନେକ ପ୍ରଶ୍ନ ଭିତରେ ଭାରତ ବାୟୋଟେକ୍‌ର ଟିକାର ସୁରକ୍ଷା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛି।

ସଂସ୍ଥା କହିଛି ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି। କୋଭାକ୍ସିନର ୨ଟି ଡୋଜ୍‌ ନେବା ପରେ ହିଁ ଯାଇ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସେହପରି ଦ୍ୱିତୀୟ ଡୋଜ୍‌ ନେବାର ୧୪ ଦିନ ପରେ ଟିକାର ପ୍ରଭାବକୁ ଆକଳନ କରାଯାଇପାରିବ।

କରୋନା ଟିକା ବିକଶିତ କରିବା ବେଳେ ଆମେ ସର୍ବଦା ସୁରକ୍ଷାକୁ ଗୁରୁତ୍ୱ ଦେଇଥାଉ। କୋଭାକ୍ସିନର କ୍ଲିନିକାଲ ଟ୍ରାଏଲଲ ୨ଟି ଡୋଜ୍‌ ଉପରେ ଆକଳନ କରାଯାଇଛି। ୨୮ ଦିନ ମଧ୍ୟରେ ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ଏହାର ୧୪ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଏହା କି ପ୍ରକାରର ପ୍ରଭାବ ଦେଖାଉଛି ଓ ସେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି କି ନାହିଁ, ତା’ର ଫଳାଫଳ ମିଳିପାରିବ।

ଏବେ ଦେଶର ୨୫ଟି ସ୍ଥାନରେ କୋଭାକ୍ସିନର ୩ୟ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି। ଏଥିରେ ପ୍ରାୟ ୨୬ ହଜାର ଲୋକ ସାମିଲ ହୋଇଛନ୍ତି। ଫେଜ ୩ ଟ୍ରାଏଲର ନିୟମ ଅନୁସାରେ ୫୦% ଲୋକଙ୍କୁ ଟିକା ଓ ଅନ୍ୟ ୫୦% ଲୋକଙ୍କୁ ପ୍ଲେସବୋ ଦିଆଯାଇ ନୀରିକ୍ଷଣ କରାଯାଏ ବୋଲି କମ୍ପାନୀ କହିଛି।

କମ୍ପାନୀ ଏତେ କଥା କହିଥିଲେ ହେଁ ସିଧାସଳଖ ମନ୍ତ୍ରୀଙ୍କୁ କାହିଁକି କରୋନା ହେଲା ତା’ର ଉତ୍ତର ଦେଇନାହିଁ। ସେହିପରି ମନ୍ତ୍ରୀଙ୍କୁ ଟିକା ନା ପ୍ଲେସବୋ ଦିଆଯାଇଥିଲା, ତାହା ମଧ୍ୟ କମ୍ପାନୀ କହିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।