ରାଣୀଙ୍କ ବିବାଦୀୟ ଅଧ୍ୟାଦେଶ ! ସରକାରଙ୍କ ବିନା ନିର୍ଦ୍ଦେଶରେ କୋର୍ଟ ଦେଇପାରିବେନି ତଦନ୍ତ ନିର୍ଦ୍ଦେଶ
ଜୟପୁର: ରାଜସ୍ଥାନ ବିଧାନସଭାରେ ଆଗତ ହୋଇଛି ଅପରାଧିକ ଆଇନକୁ ନେଇ ବିବାଦୀୟ ଅଧ୍ୟାଦେଶ । ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଏହି ବିଲ୍ ଅଣାଯାଇଥିବା କୁହାଯାଉଛି। ଏହି ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟ କୌଣସି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇପାରିବେ ନାହିଁ।
ଏଥିସହ ଅଭିଯୋଗ ହୋଇଥିବା ମନ୍ତ୍ରୀ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ନାଁ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ ଭାବେ ବିଚାର କରାଯିବ। ଗଣମାଧ୍ୟମରେ ମଧ୍ୟ ସେମାନଙ୍କ ନାଁ, ଠିକଣା, ଫଟୋ ଓ ପରିବାରର ପରିଚୟ ପ୍ରକାଶ କରାଯାଇ ପାରିବ ନାହିଁ । ରାଜସ୍ଥାନ ରାଜ୍ୟ ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ର କାଟାରିଆ ଏନେଇ ଏକ ବିଲ୍ ବିଧାନସଭାରେ ଆଗତ କରିଛନ୍ତି। କିନ୍ତୁ ଏହାକୁ କଂଗ୍ରେସ ସଦସ୍ୟମାନେ ତୀବ୍ର ବିରୋଧ କରିଛନ୍ତି। ଗୃହ ଭିତରେ ଓ ବାହାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେପଟେ ବସୁନ୍ଧରା ରାଜେ ସରକାର ଆଣିଥିବା ଏହି ବିବାଦୀୟ ଅଧ୍ୟାଦେଶ ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।