ସମଗ୍ର ଦେଶରେ ଏନଆରସି ଲାଗୁ ହେବ ବୋଲି ପୁଣି ଦୋହରାଇଲେ କେନ୍ଦ୍ର ସରକାର

ବୋକାରୋ(ଝାରଖଣ୍ଡ): ଆସାମ ଭଳି ସମଗ୍ର ଦେଶରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ(ଏନ୍‌ଆରସି) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଫୁଲଦମରେ ପ୍ରୟାସ ଆରମ୍ଭ କରିଛନ୍ତି। କିଛି ଦିନ ତଳେ ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମଗ୍ର ଦେଶରେ ଏନଆରସି ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ। ଆଜି ଏକଥା ପୁଣିଥରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୋହରାଇଛନ୍ତି। ଝାରଖଣ୍ଡର ବୋକାରୋରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, “କେନ୍ଦ୍ର ସରକାର ଦେଶର ସମସ୍ତ […]

sdx

sdx

Hemant Lenka
  • Published: Sunday, 01 December 2019
  • Updated: 01 December 2019, 05:09 PM IST

Sports

Latest News

ବୋକାରୋ(ଝାରଖଣ୍ଡ): ଆସାମ ଭଳି ସମଗ୍ର ଦେଶରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ(ଏନ୍‌ଆରସି) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଫୁଲଦମରେ ପ୍ରୟାସ ଆରମ୍ଭ କରିଛନ୍ତି। କିଛି ଦିନ ତଳେ ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମଗ୍ର ଦେଶରେ ଏନଆରସି ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ।

ଆଜି ଏକଥା ପୁଣିଥରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୋହରାଇଛନ୍ତି। ଝାରଖଣ୍ଡର ବୋକାରୋରେ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, “କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟରେ ଏନଆରସି ଲାଗୁ କରିବେ। ଭାରତ ହେଉଛି ଭାରତୀୟଙ୍କ ମାଟି। ଆମ ମାଟିରେ କେଉଁମାନେ ବେଆଇନ ଭାବେ ରହିଛନ୍ତି, ସେକଥା ଜାଣିବାର ଅଧିକାର ସମସ୍ତଙ୍କର ରହିଛି। କିଛି ରାଜନୀତିକ ଦଳ ଆମର ଏପରି ଏକ ସୁପ୍ରୟାସରେ ମଧ୍ୟ ଭୁଲ ଖୋଜୁଛନ୍ତି। ଏପରି କି ଆମେ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରୁଛୁ ବୋଲି କହୁଛନ୍ତି। ହେଲେ ଆମେ ଦେଶରୁ ବେଆଇନ ଭାବେ ରହୁଥିବା ଲୋକଙ୍କୁ ତଡ଼ିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବୁ।”

ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ମତଦେଇ ଶ୍ରୀ ସିଂହ କହିଛନ୍ତି, “ରାମଲଲାଙ୍କ ଜନ୍ମ ସ୍ଥାନରେ ଆମେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବୁ। ଏକଥା ଆମେ ସବୁ ନିର୍ବାଚନ ବେଳେ ଇସ୍ତାହାରେ ଉଲ୍ଲେଖ କରିଥିଲୁ। ଏବେ ଆମେ ଏହାକୁ ପୂରଣ କରିବାକୁ ଯାଉଛୁ। କିଛି ଦଳ ଆମର ଏଭଳି ପ୍ରତିଶ୍ରୁତିକୁ ନେଇ ତାଚ୍ଛଲ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ଆମକୁ କେହି ବି ରାମ ମନ୍ଦିର ନିର୍ମାଣ କରିବା ଦିଗରେ ରୋକି ପାରିବେ ନାହିଁ।”

ନଭେମ୍ବର ୨୦ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ କହିଥିଲେ, ଆସାମ ଭଳି ସମଗ୍ର ଦେଶରେ ଏନ୍‌ଆରସି କାର୍ଯ୍ୟକାରୀ କରାଯିବ। ତେବେ ଏହାକୁ ନେଇ କୌଣସି ଧର୍ମର ଲୋକ ଭୟଭୀତ ହେବାର କାରଣ ନାହିଁ। କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଏନ୍‌ଆରସି ତାଲିକାରୁ ବାଦ ଦେବା ପାଇଁ ଏନଆରସିରେ କୌଣସି ବ୍ୟବସ୍ଥା ନାହିଁ।

ଭାରତରେ ରହୁଥିବା ସମସ୍ତ ଧର୍ମର ଲୋକଙ୍କୁ ଏନ୍‌ଆରସିରେ ସାମିଲ କରାଯିବ। ଏନ୍‌ଆରସି ନାଗରିକ ସଂଶୋଧନ ବିଲ୍‌ଠାରୁ ସଂପୂର୍ଣ୍ଣ ଭିନ୍ନ। ଏନ୍‌ଆରସିରୁ ବାଦ ପଡ଼ୁଥିବା ଲୋକମାନେ ଆଦୌ ଡରିବା ଉଚିତ ନୁହେଁ। ସେମାନେ ତହସିଲ ସ୍ତରରେ ଥିବା ଟ୍ରିବ୍ୟୁନାଲରେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି ଶାହ କହିଥିଲେ।
ଆସାମରେ ଲାଗୁ ହୋଇଥିବା ଏନ୍‌ଆରସି ଡ୍ରାଫ୍ଟ ତାଲିକା ଚଳିତ ବର୍ଷ ଅଗଷ୍ଟ ୩୧ରେ ପ୍ରକାଶ ପାଇଥିଲା। ଏଥିରୁ ପ୍ରାୟ ୧୯ ଲକ୍ଷ ଲୋକ ବାଦ ପଡ଼ିଛନ୍ତି। ଏବେ ସେମାନେ ଭାରତର ନାଗରିକ ହେବାର ଅଧିକାର ହରାଇଛନ୍ତି।

ଅନ୍ୟପକ୍ଷରେ ଶାହ ସମଗ୍ର ଦେଶରେ ଏନ୍‌ଆରସି ଲାଗୁ କରିବାକୁ ଘୋଷଣା କରିଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଛି। ମୁସଲିମାନଙ୍କୁ ଦେଶରୁ ବିତାଡ଼ିତ କରିବା ପାଇଁ ସରକାର ଏଭଳି ବ୍ୟବସ୍ଥା କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos