ନୂଆଦିଲ୍ଲୀ: ଦେଶ ଦୁଇ ଭାଗ ହେବାର ତାରିଖ ସ୍ଥିର ହୋଇଯାଇଥାଏ। ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ନଜର ଭାରତର ପ୍ରତିଟି ମୂଲ୍ୟବାନ ସମ୍ପଦ ଓ ଦକ୍ଷତା ସମ୍ପନ୍ନ ବ୍ୟକ୍ତିଙ୍କ ଉପରେ ରହିଥିଲା। ଭାରତ ସହ ସମକକ୍ଷ ହେବା ପାଇଁ ଜିନ୍ନା ସବୁ ଜିନିଷକୁ ସମାନ ଭାବେ ଭାଗ ବାଣ୍ଟିବା ଜିଦ୍ ଧରି ବସିଥିଲେ।
ବ୍ରିଟିଶ ଇଣ୍ଡିଆର ସୈନ୍ୟ ବାହିନୀକୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମାନ ଭାବେ ଭାଗ ବଣ୍ଟା ଯାଉଥିଲା। ଏହି ଭାଗ ବଣ୍ଟା ସମୟରେ ବାଲୁଚ ରେଜିମେଣ୍ଟର ପାଳି ଆସିଥିଲା। ବାଲୁଚ ରେଜିମେଣ୍ଟରେ ଅନେକ ମୁସଲିମ ଥିଲେ ଓ ସେମାନେ ଜିନ୍ନାଙ୍କ ସହ ହାତ ମିଳାଇଥିଲେ। କାରଣ ଦେଶର ବିଭାଜନ ଧର୍ମ ଆଧାରରେ ହିଁ ହୋଇଥିଲା। ତେଣୁ ମୁସଲିମ ସଂପ୍ରଦାୟର ଲୋକ ପାକିସ୍ତାନ ଯିବାକୁ ଚାହିଁଥିଲେ।
ହେଲେ ସେଠାରେ ଏମିତି ଜଣେ ଅଫିସର ଥିଲେ ଯିଏ ଏହି ଧାରାର ବିପରୀତ ଦିଗରେ ଯାଉଥିଲେ। ସେହି ମହାନ ଅଫିସରଙ୍କ ନାଁ ହେଉଛି ବ୍ରିଗେଡିୟର ମହମ୍ମଦ ଉସମାନ। ମହମ୍ମଦଙ୍କ ଦକ୍ଷତା ସମ୍ପର୍କରେ ଜିନ୍ନା ବେଶ ଭଲ ଭାବେ ଜାଣିଥିଲେ। ତେଣୁ ସେ ତାଙ୍କୁ ପାକିସ୍ତାନର ଆର୍ମି ମୁଖ୍ୟ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ।
ହେଲେ ସେ ପାକିସ୍ତାନ ଯିବାକୁ ଆଦୌ ଚାହିଁ ନଥିଲେ। ଜିନ୍ନା ବାଧ୍ୟ ହୋଇ ତାଙ୍କୁ ଧର୍ମର ଦ୍ୱାହି ଦେଇ ପାକିସ୍ତାନକୁ ଆସିବାକୁ କହିଥିଲେ। ଜିନ୍ନା ତାଙ୍କୁ ନିଜେ କହିଥିଲେ ଯେ “ତୁମେ ପାକିସ୍ତାନ ଚାଲି ଆସ। ମୁଁ ତୁମକୁ ପାକିସ୍ତାନର ଆର୍ମି ମୁଖ୍ୟ କରିବି।” ଏହାର ଜବାବରେ ଉସମାନ କହିଥିଲେ ଯେ ମୋର ଜନ୍ମ ଭାରତରେ ହୋଇଛି ଓ ଭାରତରେ ହିଁ ଶେଷ ଯାଏ ରହିବି। ସେ ଭାରତରେ ହିଁ ରହିଥିଲେ। ଶେଷରେ ପାକିସ୍ତାନ ସହ ଲଢ଼େଇ କରି ଭାରତ ପାଇଁ ଜୀବନ ଦେଇଥିଲେ।
ଆଜି ହେଉଛି ସେହି ମହାନ ନାୟକଙ୍କ ଜନ୍ମଦିନ।
୧୯୧୨ ମସିହା ଜୁଲାଇ ୧୫ରେ ଅବିଭକ୍ତ ଉତ୍ତରପ୍ରଦେଶର ଆଜମଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ମହମ୍ମଦ ଉସମାନ। ତାଙ୍କ ବାପା ଜଣେ ପୁଲିସ୍ ଅଫିସର ଥିଲେ। ପିଲାଟି ବେଳୁ ମହମ୍ମଦଙ୍କ ବାପା ତାଙ୍କୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଯୋଗାଉ ଥିଲେ। ହେଲେ ଉସମାନଙ୍କ ଲକ୍ଷ୍ୟ ସେନାରେ ସାମିଲ ହେବାର ଥିଲା।
ବ୍ରିଟଶ ଶାସକଙ୍କ କବଜାରେ ଥିବା ଭାରତର କୌଣସି ଲୋକ ସେନାରେ ସାମିଲ ହେବା ସହଜ ନଥିଲା। ତଥାପି ମହମ୍ମଦ ଉସମାନ ରୟାଲ ମିଲିଟାରୀ ଏକାଡେମିରେ ଭର୍ତ୍ତି ହେବାକୁ ଆବେଦନ କରିଥିଲେ। ୧୯୩୨ରେ ସେ ଇଂଲଣ୍ଡ ଯାଇଥିଲେ। ସେଠାରେ ସେ ପରୀକ୍ଷା ଦେଇ ୧୯୩୪ ଫେବୃଆରୀ ୧ରେ ପାସ୍ କରିଥିଲେ। ୧୯୩୫ରେ ତାଙ୍କର ନିଯୁକ୍ତି ବାଲୁଚ ରେଜିମେଣ୍ଟର ୫ମ ବ୍ୟାଟାଲିୟନରେ ହୋଇଥିଲା।
୧୯୩୬ ଏପ୍ରିଲ ୩୦ରେ ତାଙ୍କୁ ଲେଫ୍ଟନାଣ୍ଟ ପଦ ମିଳିଥିଲା। ୧୯୪୧ରେ କ୍ୟାପ୍ଟେନ ଓ ୧୯୪୪ ବିଶ୍ୱ ଯୁଦ୍ଧ ସମୟରେ ସେ ବ୍ରିଟିଶ ଫୌଜଙ୍କ ତରଫରୁ ବର୍ମାରେ କାମ କରି ନିଜର ପରାକ୍ରମ ଦେଖାଇଥିଲେ। ୧୯୪୫ ସେପ୍ଟେମ୍ବର ୨୭ରେ ଲଣ୍ଡନ ଗେଜଟରେ ତାଙ୍କ ନାଁ ମେଜର ଭାବେ ଉଲ୍ଲେଖ କରାଯାଇଥିଲା।
ମହମ୍ମଦ ଉସମାନ ୧୯୪୫ ଏପ୍ରିଲ ମାସରୁ ୧୯୪୬ ଏପ୍ରିଲ ମାସ ଯାଏ ବଲୁଚର ୧୦ମ ରେଜିମେଣ୍ଟର କମାଣ ସମ୍ଭାଳିଥିଲେ। ଏହି ସମୟରେ ହିଁ ଜିନ୍ନା ତାଙ୍କୁ ପାକିସ୍ତାନ ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ସେ ମନା କରିଦେଇଥିଲେ। ବଲୁଚି ରେଜିମେଣ୍ଟ ପାକିସ୍ତାନ ସହ ମିଶିଯିବାରୁ ମହମ୍ମଦ ଉସମାନଙ୍କ ବଦଳି ଡୋଗ୍ରା ରେଜିମେଣ୍ଟକୁ ହୋଇଥିଲା।
ଡୋଗ୍ରା ରେଜିମେଣ୍ଟରେ କାମ କରିବା ବେଳେ ସେ ଆମିଷ ଛାଡ଼ି ଦେଇଥିଲେ। ୧୯୪୭ରେ ପାକିସ୍ତାନ କଶ୍ମୀର ଉପରେ କବଜା କରିବାକୁ ଯୋଜନା କରି ଆକ୍ରମଣ କରିଥିଲା। ଏହି ସମୟରେ ମହମ୍ମଦ ଉସମାନ ପାରା ବ୍ରିଗେଡର କମାଣ୍ଡର ରହିଥିଲେ। ପାକିସ୍ତାନର ସବୁ ଉଦ୍ୟମକୁ ସେ ଭଣ୍ଡୁର କରିଦେଇଥିଲେ।
୧୯୪୮ ମସିହା ଜାନୁଆରୀ-ଫେବୃଆରୀରେ ମହମ୍ମଦ ଉସମାନ ଅନ୍ୟ ସହଯୋଗୀଙ୍କ ସହ ନୌଶେରାରେ ମୁତୟନ ହୋଇଥିଲେ। ପାକିସ୍ତାନ ଲଗାତର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତ ମଧ୍ୟ ଏହାର ଜବାବ ଦେଉଥିଲେ। ତେବେ ୧୯୪୮ ମସିହା ଜୁଲାଇ ୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥାଏ।
ପୂର୍ବରୁ ଅନେକ ଥର ପାକିସ୍ତାନ ଦୃଢ଼ ଜବାବ ଦେଇଥିବା ମହମ୍ମଦ ଉସମାନଙ୍କୁ ସହିଦ କରିବା ପାଇଁ ଇସଲାମାବାଦ ପୂରା ଯୋଜନା କରିଥିଲା। ତେଣୁ ସେ ମୁତୟନ ହୋଇଥିବା ସ୍ଥାନକୁ ହିଁ ଅଧିକ ଟାର୍ଗେଟ କରିଥିଲା। ବ୍ରିଗେଡିୟର ଉସମାନ ମୁତୟନ ହୋଇଥିବା ସ୍ଥାନରେ ହଠାତ୍ ଗୋଟିଏ ତୋପର ଗୁଳି ଆସି ପଡ଼ିଥିଲା। କେହି କିଛି ବୁଝିବା ଆଗରୁ ଏହା ବିସ୍ଫୋରଣ କରିଥିଲା ଓ ବ୍ରିଗେଡିୟର ଉସମାନ ସହିଦ ହୋଇଯାଇଥିଲେ।
ସହିଦ ହେବା ବେଳେ ତାଙ୍କୁ ୩୬ ବର୍ଷ ବୟସ ମଧ୍ୟ ହୋଇ ନଥିଲା। ନିଜର ୩୬ ତମ ଜନ୍ମ ଦିନ ପୂରଣ କରିବାର ୧୨ ଦିନ ପୂର୍ବରୁ ହିଁ ସେ ସହିଦ ହୋଇଯାଇଥିଲେ। ପାକିସ୍ତାନ ଜମ୍ମୁ-କଶ୍ମୀରର ଜାହାଙ୍ଗର ଅଞ୍ଚଳକୁ ନେବାକୁ ଚେଷ୍ଟା କରି ଉସମାନଙ୍କୁ ଟାର୍ଗେଟ କରିଥିଲା।
ହେଲେ ଏଯାଏ ଏହି ଅଞ୍ଚଳ ଭାରତ କବଜାରେ ହିଁ ରହିଛି। ଅଦ୍ୟମ ସାହାସ ଦେଖାଇ ଦେଶ ପାଇଁ ବଳିଦାନ ଦେଇଥିବା ଉସମାନଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ସହିଦ ହେବା ପରେ ତାଙ୍କ ଅନ୍ତିମ ଯାତ୍ରାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ସାମିଲ ହୋଇଥିଲେ। ଦିଲ୍ଲୀର ଜାମିଆ ମିଲିଆରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।