ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ନୂଆଦିଲ୍ଲୀ: ଗେମ ଚେଞ୍ଜର ରାଫେଲ? ଭାରତରେ ରାଫେଲ ପହଞ୍ଚିଲା, ଶତ୍ରୁର ଛାତି ଧଡ଼ଧଡ଼ ହେଲା? ଏମିତି କେତେ କଥା କହି ଭାରତୀୟ ଟିଭି ଚ୍ୟାନେଲରେ ଖବର ପ୍ରସାରଣ କରାଯାଉଛି। ଅନେକ ଲୋକ ବୁଧବାର ଭାରତରେ ରାଫେଲ ପହଞ୍ଚିବା ପରେ ବେଶ ଉତ୍ସାହିତ ମଧ୍ୟ ହୋଇ ପଡ଼ିଛନ୍ତି।

ରାଫେଲକୁ ନେଇ ଉତ୍ସବର ମାହୋଲ ମଧ୍ୟ ସୃଷ୍ଟି କରାଯାଉଛି। କିନ୍ତୁ ବାସ୍ତବରେ ରାଫେଲ କ’ଣ ଗେମ ଚେଞ୍ଜର? ସତରେ ଏହା ବିଶ୍ୱର ସବୁ ଠାରୁ ଶ୍ରେଷ୍ଠ ଯୁଦ୍ଧ ବିମାନ? ଏମିତି ଅନେକ ପ୍ରଶ୍ନ ସମାଲୋଚକଙ୍କ ମନରେ ସୃଷ୍ଟି ହେଉଛି।

କିଛି ପ୍ରତିରକ୍ଷା ବିଶେଷଜ୍ଞ ମଧ୍ୟ ଆମେରିକା ଯୁଦ୍ଧ ବମାନ ତୁଳନାରେ ରାଫେଲ କେତେ ଫଳପ୍ରଦ, ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି ରାଫେଲ ଏତେ ଶକ୍ତିଶାଳୀ ତା’ହେଲେ ଅନ୍ତର୍ଜାତୀୟ ପ୍ରତିରକ୍ଷା ମାର୍କେଟରେ ଏହାର ଚାହିଦା କମ କାହିଁକି?

କେବଳ ଫ୍ରାନ୍ସର ଡାସଲ୍ଟ ନୁହେଁ, ଭାରତ ପାଇଁ ଯୁଦ୍ଧ ବିମାନ ତିଆରି କରିବାକୁ ବିଶ୍ୱ ସ୍ତରର ଅନେକ କମ୍ପାନୀ ଟେଣ୍ଡର ପକାଇଥିଲେ। ୧୨୬ଟି ଯୁଦ୍ଧ ବିମାନ ପାଇଁ ୬ଟି କମ୍ପାନୀକୁ ତାଲିକା ଭୁକ୍ତ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨୬ଟି ଯୁଦ୍ଧ ବିମାନ ପାଇଁ Lockheed Martin’s F-16s, Boeing’s F/A-18s, Eurofighter Typhoon, Russia’s MiG-35, Sweden’s Saab’s Gripen and Dassault’s Rafaleକୁ ଚୟନ କରାଯାଇଥିଲା।

ଶେଷରେ ଭାରତୀୟ ବାୟୁସେନା ସବୁ ବିମାନକୁ ଭଲ ଭାବେ ଯାଞ୍ଚ କରିବା ପରେ Eurofighter Typhoon ଓ Dassault Rafaleକୁ ଚୂଡ଼ାନ୍ତ ତାଲିକାରେ ରଖିଥିଲେ। ଶେଷରେ ଡାସଲ୍ଟ ସହ ୧୨୬ଟି ଯୁଦ୍ଧ ବିମାନ ପାଇଁ ଚୁକ୍ତି କରାଯାଇଥିଲା। ତେବେ ୨୦୧୬ରେ ଏହାକୁ ବଦଳା ଯାଇ ମୋଦି ସରକାର ୩୬ଟି ଯୁଦ୍ଧ ବିମାନ ପାଇଁ ଚୁକ୍ତି କରିଥିଲେ। ଏଥିପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।

ଭାରତ ଏହି ରାଫେଲ ଜେଟକୁ ତନତନ କରି ଯାଞ୍ଚ କରି ଏହାକୁ ଶ୍ରେଷ୍ଠ ବୋଲି କହିଥିଲେ ହେଁ ଅଧିକାଂଶ ଦେଶ ଫ୍ରାନ୍ସର ଏହି ଜେଟ ପ୍ରତି ଆଦୌ ଆଗ୍ରହ ଦେଖାଉ ନାହାନ୍ତି। ଭାରତ ଓ ଫ୍ରାନ୍ସ ବ୍ୟତୀତ କେବଳ କତାର ଓ ଇଜିପ୍ଟ ହିଁ ରାଫେଲ ଜେଟ ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ସଂଖ୍ୟା ବହୁତ କମ।

ରୁଷର ବିଶେଷଜ୍ଞମାନଙ୍କ କହିବା କଥା, ଚାଇନା ବାୟୁସେନା ପାଖରେ ଥିବା ବିମାନ ଆଗରେ ରାଫେଲ ଆଦୌ ତିଷ୍ଠି ପାରିବ ନାହିଁ। ରାଫେଲର ସର୍ବାଧିକ ଗତି ଘଣ୍ଟାପ୍ରତି ୧.୮ ମାଚ୍‌ ବା ୨୨୨୨.୬୪ କିଲୋମିଟର ହୋଇଥିବା ବେଳେ ଚାଇନା ପାଖରେ ଥିବା ଜେ-୧୬ର ସ୍ପିଡ ୨.୨ ମାଚ୍‌ ବା ୨୭୧୬.୫୬ କିଲୋମିଟର। ରାଫେଲର ପାର୍ସିଆଲ ସିଲିଂ ମଧ୍ୟ ଜେ-୧୬ ତୁଳନାରେ ବହୁତ ଛୋଟ।

ଇଞ୍ଜିନ କଥା ବିଚାରକୁ ନେଲେ ଚାଇନାର ଜେ-୧୬ ରାଫେଲ ତୁଳନାରେ ଅଧିକ ଭଲ। ଭାରତ ଯଦି ସମସ୍ତ ୩୬ଟି ଯାକ ବିମାନ ଚାଇନା ବିରୋଧରେ ମୁତୟନ କରେ, ତଥାପି ବୈଷୟିକ ଦୃଷ୍ଟି କୋଣରୁ ଚାଇନାର କ୍ଷମତା ଅଧିକ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପକ୍ଷରେ ରାଫେଲ ଅନ୍ତର୍ଜାତୀୟ ମାର୍କେଟରେ ସବୁଠାରୁ ମହଙ୍ଗା ଯୁଦ୍ଧ ବିମାନ। ଭାରତ ମାତ୍ର ୩୬ଟି ବିମାନକୁ ୬୦ ହଜାର କୋଟି ଟଙ୍କାରେ କିଣିଛି। ରାଫେଲକୁ ଟକ୍କର ଦେଇପାରୁଥିବା ବିମାନଗୁଡ଼ିକ ମଧ୍ୟରେ ଏଫ-୧୮, ମିଗ-୨୯ ଓ ଏଫ-୩୫ ରହିଛି। ଏହାର ଦାମ ବହୁତ କମ। ତେଣୁ ଅଧିକାଂଶ ରାଷ୍ଟ୍ର ରାଫେଲ ବଦଳରେ ଏହି ବିମାନଗୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି।

ଯେଉଁ ଦେଶଗୁଡ଼ିକ ଟିକିଏ ଅଧିକ ଓଜନଦାର ଓ ଶକ୍ତିଶାଳୀ ବିମାନ କିଣିବାକୁ ଚାହୁଁଛନ୍ତି, ସେମାନେ ରାଫେଲ ବଦଳରେ ଏଫ-୧୫ ଓ ଏସୟୁ-୩୫ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ସେହିପରି ଯେଉଁମାନେ ଶସ୍ତା ଓ ହାଲୁକା ବିମାନ କିଣିବାକୁ ଚାହୁଁଛନ୍ତି, ସେମାନେ ଏଫ-୧୬ଭି, ଏଫ-୧୮ଇ କିମ୍ବା ମିଗ-୩୫ କିଣିବାକୁ ଚୁକ୍ତି କରୁଛନ୍ତି।

୨୦୦୦ ମସିହାରେ ଦକ୍ଷିଣ କୋରିଆ ଓ ସିଙ୍ଗାପୁର ରାଫେଲ ବଦଳରେ ଏଫ-୧୫ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି। ୨୦୧୫ରେ ଇଜିପ୍ଟ ୨୪ଟି ରାଫେଲ ଜେଟ କିଣିବାକୁ ଚୁକ୍ତି କରିଥିଲା। ହେଲେ ଏହା ମଧ୍ୟରୁ ୧୨ଟିରେ ଇଜିପ୍ଟ ନିଜ ଅନୁସାରେ ଯୁଦ୍ଧାସ୍ତ୍ର ଖଞ୍ଜିବାର ବ୍ୟବସ୍ଥା କରିଛି। ୨୦୧୬ରେ ଇଜିପ୍ଟ ରାଫେଲରେ ଆଉ କିଛି ଯୁଦ୍ଧାସ୍ତ୍ର ଖଞ୍ଜି ଏହାର ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଥିଲା। ହେଲେ ଫ୍ରାନ୍ସ ସହ ଡିଲ ଫାଇନାଲ ନ ହେବାରୁ ଇଜିପ୍ଟ ୨୪ରୁ ଅଧିକ ଏସୟୁ ୩୫ ବିମାନ ପାଇଁ ରୁଷ ସହ ଚୁକ୍ତି କରିଥିଲା।

ଭାରତୀୟ ମିଡିଆ ରାଫେଲ ଆସି ଯାଇଥିବାରୁ ଚାଇନାକୁ ପରାସ୍ତ କରି ହେବ ବୋଲି କହୁଛନ୍ତି। ରାଫେଲ ପାଖରେ ଏତେ କ୍ଷମତା ରହିଛି ଯଦି ତା’ହେଲେ ଓମାନ, କୋରିଆ, ସିଙ୍ଗାପୁର, ଲିବ୍ୟା, କୁଏତ, କାନାଡା, ବ୍ରାଜିଲ, ବେଲଜିୟମ, ୟୁଏଇ, ସ୍ୱିଜରଲ୍ୟାଣ୍ଡ, ମ୍ୟାଲେସିୟା କାହିଁକି ଏହାକୁ କିଣିବାକୁ ମନା କରିଦେଲେ ତାହା ଏକ ପ୍ରଶ୍ନ।

ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ ଏହି ବିମାନ ଆସିବାକୁ ବହୁତ ସମୟ ଲାଗେ ଓ ଏଥିରେ କିକ ବ୍ୟାକ ବା ଅର୍ଥ କାରବାର ହୋଇ ପାରୁ ନଥିବାରୁ ଅଧିକାଂଶ ରାଷ୍ଟ୍ର ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।