କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ବିଦ୍ରୋହ ଘୋଷଣା କରି ରାଜସ୍ଥାନ କଂଗ୍ରେସରେ ହଟଚମଟ ସୃଷ୍ଟି କରିଥିବା ସଚିନ ପାଇଲଟ ଶେଷରେ ନରମ ଭାବ ପୋଷଣ କରିଛନ୍ତି। ସେ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିବା ସହ ଦଳ ସହ ଯୋଡ଼ି ହେବାକୁ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି।

କୁହାଯାଉଛି ଖୁବଶୀଘ୍ର ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ତେବେ ହଠାତ୍ ସଚିନ ପାଇଲଟ କାହିଁକି ସ୍ୱର ବଦଳାଇଲେ ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?

୧-ସଚିନ ପାଇଲଟଙ୍କ ପାଖରେ ମାତ୍ର ୧୯ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଥିଲେ। ତେଣୁ ଏତିକି ସଂଖ୍ୟକ ବିଧାୟକଙ୍କ ଦମରେ ସରକାରଙ୍କୁ ଗାଦିଚ୍ୟୁତ କରି ହେବ କି ନାହିଁ, ତାହା ଠିକ୍‌ ଭାବେ ଜଣାପଡ଼ୁନାହିଁ। ସେହିପରି କିଛି ବିଧାୟକ ସଚିନଙ୍କ କ୍ୟାମ୍ପ ଛାଡ଼ି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ସମର୍ଥନ କରିଥିଲେ।

୨-କଂଗ୍ରେସରେ ସାମିଲ ହୋଇଥିବା ୬ ଜଣ ବିଏସ୍‌ପି ବିଧାୟକଙ୍କ ଭବିଷ୍ୟତ କ’ଣ ହେବ, ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। କାରଣ ଏ ସଂକ୍ରାନ୍ତ ଆବେଦନ ଉଭୟ ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପଡ଼ି ରହିଛି। ଏଭଳି ସ୍ଥିତିରେ ୧୪ ତାରିଖ ପୂର୍ବରୁ ରାୟ ଆସିବା ବହୁତ କମ। ଆସନ୍ତା ୧୪ ତାରିଖରେ ହିଁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବ।

୩-ବସୁନ୍ଧରା ରାଜେଙ୍କୁ ବିଜେପି ମଧ୍ୟରୁ ବିରୋଧ ସଚିନ ପାଇଲଟଙ୍କୁ ଅଡ଼ୁଆରେ ପକାଇଥିଲା। ତେଣୁ ବସୁନ୍ଧରା ରାଜେଙ୍କୁ ସମର୍ଥନ କରୁଥିବା ବିଜେପି ବିଧାୟକ ଆସ୍ଥା ଭୋଟ ବେଳେ କ୍ରସ ଭୋଟିଂ କରିବାର ମଧ୍ୟ ଆଶଙ୍କା ରହିଥିଲା।

୪-ପାଇଲଟ ବିଜେପି ଯିବାକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ବେଳେ ଆଞ୍ଚଳିକ ପାର୍ଟି ଗଠନ କଲେ, ଏହା ସଫଳ ହେବ କି ନାହିଁ ସେ ପ୍ରଶ୍ନ ମଧ୍ୟ ତାଙ୍କୁ ଘାରିଥିଲା।

୫-ସଚିନ ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ହେଁ ଗାନ୍ଧି ପରିବାର ଏଯାଏ ତାଙ୍କ ବିରୋଧରେ ପଦୁଟିଏ ମଧ୍ୟ କହିନାହିଁ। ସେହିପରି ଗାନ୍ଧି ପରିବାର ମଧ୍ୟ ସଚିନଙ୍କୁ ଦଳ ସହ ପୁଣି ଯୋଡ଼ିବାରୁ ବ୍ୟାକଡୋରରେ କାମ କରି ଚାଲିଥିଲା।

୬-ସଚିନ ପାଇଲଟ ପିଲାଟି ବେଳୁ ଗାନ୍ଧି ପରିବାର ସହ ଜଡ଼ିତ ହୋଇ ରହିଛନ୍ତି। ତେଣୁ ଆଜି ରାହୁଲ ଓ ପ୍ରିୟଙ୍କାଙ୍କୁ ସାକ୍ଷାତ କରିବା ବେଳେ ସଚିବ ବେଶ ଭାବବିହ୍ୱଳ ହୋଇଯାଇଥିବା କୁହାଯାଉଛି।