ସହିଦ ସ୍ୱାମୀଙ୍କ ସ୍ୱପ୍ନ ପୂରଣ ପାଇଁ ସେନାରେ ଯୋଗଦେବେ ନୀତିକା, ଦେଖନ୍ତୁ ପୁରୁଣା ଭିଡିଓ
ଡେରାଡୁନ: ପୁଲୱାମା ହମଲା ପରେ ହୋଇଥିବା ଅପରେସନରେ ସହିଦ ହୋଇଥିଲେ ଡେରାଡୁନର ମେଜର ଜେନେରାଲ ବିଭୂତି ଶଙ୍କର ଡୌଣ୍ଡିଆଲ। ସହିଦ ଡୌଣ୍ଡିଆଲଙ୍କ କଫିନ ପାଖରେ ଆଇଲଭୟୁ ଓ ମୁଁ ତୁମ ପାଇଁ ଗର୍ବିତ ବୋଲି ଚିତ୍କାର କରି ସାରା ଦେଶର ଛାତିକୁ ତରଳାଇ ଦେଇଥିବା ୨୬ ବର୍ଷୀୟ ନୀତିକା କୌଲ ଏବେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ଦେଶ ପାଇଁ ବଳିଦାନ ଦେଇଥିବା ମେଜର ଡୌଣ୍ଡିଆଲ ଯେଉଁ କାମ ଅଧା ଛାଡ଼ିଥିଲେ, ତା’କୁ ପୂରଣ କରିବା ପାଇଁ ନୀତିକା ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାରତୀୟ ସେନାର ଟେକ୍ନିକାଲ ୱିଙ୍ଗରେ ଯୋଗଦେବେ।
୨୦୧୮ ଏପ୍ରିଲ ମାସରେ ନୀତିକା ଓ ମେଜର ଡୌଣ୍ଡିଆଲ ହାତକୁ ଦି’ ହାତ ହୋଇଥିଲେ। ହେଲେ ଫେବୃଆରୀ ୧୮ରେ ଡୌଣ୍ଡିଆଲ ସହିଦ ହୋଇଯାଇଥିଲେ। ୨୬ ବର୍ଷୀୟ କଶ୍ମୀର ଝିଅ ନୀତିକା ମାତ୍ର ୧୦ ମାସ ମଧ୍ୟରେ ମେଜର ଡୌଣ୍ଡିଆଲଙ୍କୁ ହରାଇ ଏକା ହୋଇଯାଇଥିଲେ। କିନ୍ତୁ ସେ ହାର ମାନି ନଥିଲେ।
ଡେରାଡୁନରେ ଡୌଣ୍ଡିଆଲଙ୍କ ମୃତ ଶରୀର ପହଞ୍ଚିବା ପରେ ସେ ନିଜର ଧୈର୍ଯ୍ୟକୁ ନିୟନ୍ତ୍ରଣ କରିପାରି ନଥିଲେ। କଫିନରେ ଶୋଇଥିବା ସ୍ୱାମୀଙ୍କୁ ସେହିଠାରେ ହିଁ ଚୁମା ଦେଇ ଚାଲିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଲୋକମାନଙ୍କ ଛାତି ସେହି ଦୃଶ୍ୟ ଦେଖି ଫାଟି ପଡ଼ିଥିଲା।
#WATCH Wife of Major VS Dhoundiyal (who lost his life in an encounter in Pulwama yesterday) by his mortal remains. #Dehradun #Uttarakhand pic.twitter.com/5HWD6RXwnO
— ANI (@ANI) February 19, 2019
ଏବେ ସେ ସ୍ୱାମୀଙ୍କ ଭଳି ସେନାରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୀତିକା ନୋଏଡାର ଏକ ସଫ୍ଟୱେର କମ୍ପାନୀରେ କାମ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଆର୍ମି ଏଣ୍ଟରାନ୍ସରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏପରି କି ଚେନ୍ନାଇର ଅଫିସର ଟ୍ରେନିଂ ଏକାଡେମୀରୁ ତାଙ୍କ ପାଖକୁ କଲ ଲେଟର ଆସିଛି। ନୀତିକା ମେଜର ଡୌଣ୍ଡିଆଲଙ୍କ ପତ୍ନୀ ହୋଇଥିବାରୁ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଧାର୍ଯ୍ୟ ବୟସସୀମା ତାଙ୍କ ପାଇଁ ସାମାନ୍ୟ କୋହଳ କରାଯାଇଥିଲା।
ନୀତିକା ହେଉଛନ୍ତି ଜଣେ କଶ୍ମୀର ପଣ୍ଡିତ। ତାଙ୍କ ପରିବାର ଲୋକ ୧୯୯୦ରୁ ହିଁ ଦିଲ୍ଲୀରେ ରହୁଛନ୍ତି। ମାର୍କେଟିଂ କର୍ପୋରେସନରେ ଏମବିଏ କରିଥିବା ନୀତିକାଙ୍କୁ ସେନାରେ ଯୋଗଦେବା ପାଇଁ ମେଜର ଡୌଣ୍ଡିଆଲଙ୍କ ମା’ ହିଁ ସର୍ବଦା ପ୍ରେରଣା ଦେଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।