କ’ଣ ଭାରତରେ ମିଳିବ ଫାଇଜର୍‌ର କରୋନା ଟିକା?

ନୂଆଦିଲ୍ଲୀ: ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ଆସନ୍ତା ସପ୍ତାହରୁ ବ୍ରିଟେନବାସୀଙ୍କୁ ଦିଆଯିବ। ଗତକାଲି ଏନେଇ ବ୍ରିଟେନ ସରକାର ଘୋଷଣା କରିଛନ୍ତି। ତେବେ ଆମେରିକାର ଫାର୍ମା କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ଭାରତକୁ ମିଳିବ କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି।

ଏସବୁ ଭିତରେ ଫାଇଜର ପକ୍ଷରୁ ଏହାର ଜବାବ ଦିଆଯାଇଛି। କମ୍ପାନୀ କହିଛି ଯେ ଫାଇଜର ସର୍ବଦା ଭାରତ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏଥିସହ ଭାରତରେ ମଧ୍ୟ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଟିକା ଉପଲବ୍ଧ ସମ୍ପର୍କରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା ଚାଲିଛି।

କମ୍ପାନୀ କେବଳ ସରକାରଙ୍କ ଜରିଆରେ ହିଁ କୌଣସି ରାଷ୍ଟ୍ରକୁ ଏହି ଟିକା ପଠାଇ ପାରିବ। ଏଥିପାଇଁ ଆବଶ୍ୟକ ଅନୁମତି ଦରକାର। ଅନୁମତି ମିଳିଲେ ଆମେ ତୁରନ୍ତ କରୋନା ଟିକା ସଂପୃକ୍ତ ରାଷ୍ଟ୍ରଗୁଡ଼ିକ ପାଖକୁ ପଠାଇ ପାରିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫାଇଜର ଟିକା ନିକଟ ଭବିଷ୍ୟତରେ ଭାରତରେ ଉପଲବ୍ଧ ହେବାର ଆଶା ବହୁତ କମ। ଭାରତରେ କୌଣସି ଟିକାକୁ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ, ପ୍ରଥମେ ଏଠାରେ କ୍ଲିନିକାଲ ଟ୍ରାଏଲ କରିବାକୁ ପଡ଼ିବ।

ଫାଇଜର କିମ୍ବା ଏହା ସହ ଜଡ଼ିତ ସଂସ୍ଥା ଭାରତରେ ଟିକାର କ୍ଲିନିକାଲ ଟ୍ରାଏଲ କରିବାକୁ ଅନୁମତି ମାଗିନାହାନ୍ତି। ଯଦି ବି ଏବେ ଫାଇଜର କୌଣସି ଭାରତୀୟ କମ୍ପାନୀ ସହ ଚୁକ୍ତି କରେ, ତା’ହେଲେ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ପ୍ରଥମେ ଭାରତ ସରକାର ଅନୁମତି ଦେବେ।

କ୍ଲିନିକାଲ ଟ୍ରାଏଲ ଶେଷ ହୋଇ ରିପୋର୍ଟ ଆସିବା ପାରେ ଯାଇ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିବ। ଏଥିପାଇଁ ବହୁତ ମାସର ସମୟ ଲାଗିବ ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।