‘ବେଙ୍ଗଲରେ ପଦ୍ମ ଫୁଟିଲା ପରେ ଆଖିକୁ ନିଦ ଆସିବ’

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିକୁ ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ବଡ଼ ବୟାନ ଦେଇଛନ୍ତି। ବେଙ୍ଗଲରେ ପଦ୍ମ ନ ଫୁଟିବା ଯାଏ କେହି ବି ଶୋଇପାରିବେ ନାହିଁ। ଆମେ ବେଙ୍ଗରେ ବିଜେପି ସରକାର ଗଠନ କଲା ପରେ ଶୋଇବୁ ବୋଲି ସେ କହିଛନ୍ତି। ଏଥିସହ ସେ ବିଜେପିକୁ ଆସିବା ଉଚିତ ମଣିଛନ୍ତି ଓ ଲୋକଙ୍କ ଅନୁମତିକ୍ରମେ ଏପରି ପଦକ୍ଷେପ ନେଇଥିବା ମଧ୍ୟ କହିଛନ୍ତି।

ତାଙ୍କ ନିଜ ଜନ୍ମ ସ୍ଥାନ କାଣ୍ଠିରେ ବିଶାଳ ରୋଡ ଶୋ’ କରିଥିବା ଅଧିକାରୀ ଜାନୁଆରୀ ୮ରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମରେ ଗୋଟିଏ ଶୋଭାଯାତ୍ରାକୁ ଉଦବୋଧନ ଦେବେ ବୋଲି ଘୋଷଣା କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରା ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ମେଛେଡା ବାଇପାସ୍‌ ଠାରୁ ସେଣ୍ଟ୍ରାଲ ବସ୍‌ ଷ୍ଟାଣ୍ଡ ଯାଏ ଶୁଭେନ୍ଦୁ ଅଧିକାରୀ ରୋଡ ଶୋ’ କରିଥିଲେ। ଏଥିରେ ଶତାଧିକ ଲୋକ ଯୋଗଦେଇଥିଲେ। ସେଣ୍ଟ୍ରାଲ ବସ୍‌ ଷ୍ଟାଣ୍ଡରେ ରୋଡ ଶୋ’ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇଥିଲେ।

ସେ କହିଥିଲେ, ଜାନୁଆରୀ ୭ରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସୁଛନ୍ତି। ଏଥିପାଇଁ ତାଙ୍କୁ ମୋ ତରଫରୁ ସ୍ୱାଗତ। ଆପଣ ଏଠାରେ ଯାହା ବି କହିବେ, ତା’ର ଜବାବ ମୁଁ ୮ ତାରିଖରେ ଦେବି। ପଶ୍ଚିମବଙ୍ଗରେ ପୂର୍ବରୁ କ୍ଷମତାରେ ଥିବା ବାମପନ୍ଥୀ ସରକାର ବିରୋଧରେ ୨୦୦୭ରେ ନିନ୍ଦିଗ୍ରାମ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ଜାନୁଆରୀ ୭, ମାର୍ଚ୍ଚ ୧୪ ଓ ନେଭମ୍ବର ୧୦କୁ ଏହି ଆନ୍ଦୋଳନର ଟର୍ଣ୍ଣି ପଏଣ୍ଟ ବୋଲି କୁହାଯାଏ। ପୂର୍ବରୁ ଏହି ତାରିଖ ଗୁଡ଼ିକରେ ମମତା ବାନାର୍ଜୀ କେବେ ହେଲେ ନନ୍ଦିଗ୍ରାମ ଆସି ନଥିବା ଶୁଭେନ୍ଦୁ ଦାବି କରିଛନ୍ତି। ଶୁଭେନ୍ଦୁ ଅଧିକାରୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଓ ୨୦୧୧ରେ ମମତା ବାମପନ୍ଥୀ ସରକାରଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲେ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କାହିଁକି ଟିଏମସି ଏତେ ବ୍ୟସ୍ତ ହୋଇପଡ଼ିଛି? ମୁଁ ଦଳ ଛାଡ଼ିଲେ କିଛି ବି ଫରକ ପଡ଼ିବ ନାହିଁ ବୋଲି ଟିଏମସି କହୁଥିଲା। ହେଲେ ଏବେ କାହିଁକି ପ୍ରତି ସପ୍ତାହରେ ପୂର୍ବ ମେଦିନାପୁରକୁ ଟିଏମସି ନେତାମାନେ ଆସୁଛନ୍ତି? ରାଜ୍ୟମନ୍ତ୍ରୀ ଫିରହାଦ ହାକିମଙ୍କୁ ସମାଲୋଚନା କରି ସେ କହିଛନ୍ତି, ବାତ୍ୟା ଅମ୍ପାନ ପରେ କୋଲକାତା ସ୍ଥିତି ବିଗିଡ଼ି ଯାଇଥିଲା।

ହେଲେ ଏହାକୁ ମୁକାବିଲା କରିବାରେ ହାକିମ ସଫଳ ହୋଇ ନଥିଲେ। ଆର୍ମି ଓ ବିପର୍ଯ୍ୟୟ ପ୍ରଶମନ ଟିମ୍‌ ଓଡ଼ିଶାରୁ ଆସି ସ୍ଥିତିକୁ ସମ୍ଭାଳିଥିଲେ। ମୁଁ ଓ ପଶ୍ଚିମ ମେଦିନାପୁର ଅନ୍ତର୍ଗତ ଗୋପିବଲ୍ଲଭପୁରର ଦିଲୀପ ଘୋଷ ଏକାଠି ହୋଇ ବଙ୍ଗୋପସାଗରର ବାଲିଆ ମାଟି ଓ ଜଙ୍ଗଲମହଲର ନାଲି ମାଟିକୁ ଏକାଠି କରିଛୁ। ତେଣୁ ପଦ୍ମ ଏଠାରେ ନ ଫୁଟିବା ଯାଏ ଆମେ ଶାନ୍ତିରେ ଶୋଇପାରିବୁ ନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।