ଷ୍ଟେଜ ଉପରେ ପାକିସ୍ତାନ ଜିନ୍ଦାବାଦ ଶୁଣି ଚିହିଁକି ଉଠିଲେ ଓୱେସୀ, ମାଇକ୍ ଛଡ଼ାଇବାକୁ ଉଦ୍ୟମ
ବେଙ୍ଗାଲୁରୁ: ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ସାମ୍ନାରେ ଜଣେ ମହିଳା ପାକିସ୍ତାନ ଜିନ୍ଦାବାଦ ନାରା ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବେଙ୍ଗାଲୁରୁ ଠାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା। ତେବେ ଓୱେସୀ ଏହି ସଭାରେ ଯୋଗଦେବାକୁ ଷ୍ଟେଜ ଉପରେ ଚଢ଼ିବା କ୍ଷଣି ଜଣେ ମହିଳା ତୁରନ୍ତ ମାଇକ ଧରି ପାକିସ୍ତାନ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଦେଇଥିଲେ।
ଏହା ଶୁଣି ଓୱେସୀ ଉକ୍ତ ମହିଳାଙ୍କ ଠାରୁ ମାଇକ ଛଡ଼ାଇ ଆଣିବାକୁ ଉଦ୍ୟମ କରିବା ସହ ବରକ୍ତି ପ୍ରକାଶ କରିଥିଲେ। ହେଲେ ମହିଳା ଜଣଙ୍କ ତାଙ୍କୁ ମାଇକ ଦେଇ ନଥିଲେ। ଏହି ସମୟରେ ସଭାକୁ ଆୟୋଜନ କରୁଥିବା ଲୋକମାନେ ମଧ୍ୟ ମହିଳାଙ୍କ ଠାରୁ ମାଇକ ଛଡ଼ାଇ ଆଣିବାକୁ ମଧ୍ୟ ଚାହିଁଥିଲେ। ହେଲେ ମହିଳା ଜଣଙ୍କ ବାରମ୍ବାର ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଇବାକୁ ଚେଷ୍ଟା କରିଥିଲେ।
#WATCH Ruckus erupts at the protest rally against CAA&NRC in Bengaluru where AIMIM Chief Asaddudin Owaisi is present. A woman named Amulya at the protest rally says "The difference between Pakistan zinadabad and Hindustan zindabad is…". pic.twitter.com/FPh5Ccu3HD
— ANI (@ANI) February 20, 2020
ଶେଷରେ ପୁଲିସ୍ ଷ୍ଟେଜ ଉପରକୁ ଆସି ମହିଳାଙ୍କୁ ସେଠାରୁ ବାହାର କରିଥିଲା। ପୁଲିସ୍ ମହିଳା ଜଣଙ୍କୁ ଟଣା ଓଟରା କଲାବେଳେ ସେ ପୁଣିଥରେ ସମାନ କଥା ଦୋହରାଇଥିଲେ। ତେବେ ଅର୍ଗାନାଇଜରଙ୍କ ଏଭଳି ଆୟୋଜନକୁ ନେଇ ଓୱେସୀ କ୍ଷୁବ୍ଧ ହୋଇଛନ୍ତି। ଆମେ ଭାରତ ପାଇଁ ଲଢ଼େଇ କରୁଛୁ ବୋଲି ସେ ମହିଳାଙ୍କୁ କହିଥିଲେ।
ଭାଷଣ ଦେବା ବେଳେ ଓୱେସୀ କହିଛନ୍ତି, “ମୁଁ କିମ୍ବା ଓ ମୋ ଦଳ ସହ ମହିଳାଙ୍କର କୌଣସି ସମ୍ପର୍କ ନାହିଁ। ଆମେ ଉକ୍ତ ମହିଳାଙ୍କୁ ଦୃଢ଼ ବିରୋଧ କରୁଛୁ। ଆୟୋଜକମାନେ ସେହି ମହିଳାଙ୍କୁ ଏଠାକୁ ଡାକିବାର ନଥିଲା। ମୁଁ ଯଦି ଏମିତି ଏଠି ହେବ ବୋଲି ଜାଣିଥାଆନ୍ତି, ତା’ହେଲେ କେବେ ବି ଏଠାକୁ ଆସି ନଥାଆନ୍ତି। ଆମେମାନେ ଭାରତ ପାଇଁ ରହିଛୁ। ଆମେ କେବେ ହେଲେ ଆମର ଶତ୍ରୁ ପାକିସ୍ତାନକୁ ସମର୍ଥନ କରିବୁ ନାହିଁ। ଆମର ପୂରା ଅଭିଯାନ ଭାରତକୁ ରକ୍ଷା କରିବା ପାଇଁ।”
ଜେଡିଏସ୍ କର୍ପୋରେଟର ଇମ୍ରାନ ପାଶା କହିଛନ୍ତି, ଏହି ଇଭେଣ୍ଟକୁ ଭଣ୍ଡୁର କରିବା ପାଇଁ ବିରୋଧୀ ଗୋଷ୍ଠୀ ଏଭଳି କରିଥାଇ ପାରନ୍ତି। ସେ ଆମ ବକ୍ତା ତାଲିକାରେ ନଥିଲେ। ତେଣୁ ପୁଲିସ୍ ପୂରା ଘଟଣାର ନିରପେକ୍ଷ ତଦନ୍ତ କରିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।