ବାପା ବିକ୍ରି କରିଦେବା ପରେ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ମୀରଟ୍‌: ଉତ୍ତର ପ୍ରଦେଶରେ ଏକ ଜଘନ୍ୟ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ତାଙ୍କ ବାପା ଜଣଙ୍କୁ ବିକ୍ରି କରି ଦେବା ପରେ ମହିଳା ଜଣଙ୍କ ବାରମ୍ବାର ଦୁଷ୍କର୍ମର ଶିକାର ହେଲେ। ଏନେଇ ପୁଲିସ୍‌ରେ ସେ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥା ଶୁଣିଲେନି। ସବୁଆଡ଼ୁ ନିରାଶ ହେବା ପରେ ମହିଳା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୮୦% ଅଂଶ ପୋଡ଼ି ଯାଇଛି। ଏବେ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମହିଳା ଜଣଙ୍କ ହାପୁରର ବାସିନ୍ଦା। ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ବାପା ମାତ୍ର ୧୦ ହଜାର ଟଙ୍କାରେ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଅନେକ ଲୋକଙ୍କ ଠାରୁ ଟଙ୍କା ଆଣି ମହିଳା ଜଣଙ୍କୁ ସେମାନଙ୍କ ଘରକୁ କାମ କରାଇବାକୁ ପଠାଇଥିଲେ। ସେଠାରେ ମହିଳା ଜଣଙ୍କୁ ବାରମ୍ବାର ଦୁଷ୍କର୍ମର ଶିକାର ହେବାକୁ ପଡ଼ିଥିଲା। ଯନ୍ତ୍ରଣା ସହି ନ ପାରି ମହିଳା ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍‌ ତାଙ୍କ କଥା ଶୁଣି ନଥିଲା। ଶେଷରେ ମହିଳା ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ହାପୁର ଏସ୍‌ପି ୟଶବୀର ସିଂହ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ୧୪ ଜଣଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲୱାଲ ଏ ସଂକ୍ରାନ୍ତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସେ ହାପୁର ପୁଲିସ୍‌ ଏବଂ ଏସ୍‌ପିଙ୍କୁ ଜଣାଇଥିଲେ। ହେଲେ ସେମାନେ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ଶେଷରେ ଏପ୍ରିଲ ୨୮ରେ ମହିଳା ଜଣଙ୍କ ନିଜ ଦେହରେ କିରୋସିନ ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।