ପାର୍କରେ ବେଙ୍ଗ ଚାଟିବା ମନା

ନୂଆଦିଲ୍ଲୀ: ପାର୍କ ଭିତରେ ବେଙ୍ଗକୁ ଚାଟିବାକୁ ଶକ୍ତ ମନା। ପାର୍କର ଗେଟ୍, ପାର୍କର କାନ୍ଥରେ ଏମିତି ସାଇନ୍ ବୋର୍ଡ ଲଗାଯାଇଛି। ଏବେ ଫେସବୁକରେ ମଧ୍ୟ ଲୋକଙ୍କୁ ନିବେଦନ କରିଛି ଆମେରିକାର ନେସନାଲ ପାର୍କ ସର୍ଭିସ। ଆମେରିକାର ଆରିଜୋନାରେ ଥିବା ପାର୍କଗୁଡ଼ିକରେ ଏଭଳି ସାଇନ ବୋର୍ଡ ଲଗାଯାଇ ସତର୍କ କରାଯାଉଛି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ପାର୍କ ଆଶୁଛନ୍ତି ସେମାନେ ସୋନରାନ୍ ଡେଜର୍ଟ ଟୋଡ୍ ବା କଲୋରାଡ଼ୋ ନଦୀ ବେଙ୍ଗକୁ ଚାଟନ୍ତୁ ନାହିଁ। ଏମିତି କି ବେଙ୍ଗକୁ ଛୁଅନ୍ତୁ ବି ନାହିଁ।

ଆରିଜୋନା ଅ଼ଞ୍ଚଳରେ ଦେଖାଯାଉଥିବା ଏ ବେଙ୍ଗର ଲମ୍ବ 7 ଇଞ୍ଚ ପାଖପାଖି ହେବ। ଆମେରିକାର ସବୁଠୁ ଲମ୍ବା ବେଙ୍ଗ ବୋଲି ଜଣାଯାଏ। ମରୁ ଅଞ୍ଚଳ ବା ବୁଦାଳିଆ ଅଞ୍ଚଳରେ ବୁଲୁଥିବା ଏ ବେଙ୍ଗଠାରୁ ଦୂରେଇ ରହିବାକୁ ପାର୍କକୁ ଆସୁଥିବା ଲୋକଙ୍କୁ ଏପରି ସତର୍କ କରାଇ ଦିଆଯାଇଛି। ବେଙ୍ଗର ପିଠି ଉପରେ ଆଖିର ସାମାନ୍ୟ ଉପରକୁ ଥିବା ଦୁଇଟି ଗ୍ରନ୍ଥିରୁ ଏକ ପ୍ରକାର ବିଷ ନିର୍ଗତ ହୋଇଥାଏ। ଏହାର ସଂସ୍ପର୍ଶରେ ଆସିଲେ ଆପଣ ହୁଏତ ରୋଗଗ୍ରସ୍ତ ହୋଇପାରନ୍ତି ନ ହେଲେ ମରିଯାଇ ବି ପାରନ୍ତି। ତେବେ ବେଙ୍ଗ ଯେତେବେଳେ ବୋବାଏ ସେତେବେଳେ ଏ ଗ୍ରନ୍ଥି ଦୁଇଟି ଫୁଲି ଉଠେ। ଆଉ ମାତ୍ର କେଇ ସେକେଣ୍ଡରେ ପୁଣି ସଂକୁଚିତ ବି ହୋଇଯାଏ।

ତେବେ ସୋନରାନ୍ ବେଙ୍ଗର ଏ ଗ୍ରନ୍ଥିରୁ ନିର୍ଗତ ଲାଳରେ ଡିଏମଟି ବୁଫୋଟିନ୍ ନାମକ ରାସାୟନିକ ପଦାର୍ଥ ଥିବାରୁ ଏହା ମଣିଷକୁ ନିଶାସକ୍ତ କରିଥାଏ। ଏହି ଲାଳକୁ ସେବନ ଫଳରେ ମଣିଷ ଗୋଟେ ଭିନ୍ନ ଦୁନିଆକୁ ଚାଲିଯିବା ଭଳି ଅନୁଭବ କରିଥାଏ। ଏଣୁ ଏଭଳି ନିଶାଗ୍ରସ୍ତ ଲୋକମାନେ ପାର୍କକୁ ଆସିଲେ ବେଙ୍ଗକୁ ଖୋଜି ଖୋଜି ଚାଟିଥାନ୍ତି ନ ହେଲେ ଚୁମିଥାନ୍ତି। ତେବେ ଏହି ଡିଏମଟି ରାସାୟନିକ ପଦାର୍ଥଟି ବେଳେବେଳେ ଘାତକ ହୋଇଥାଏ। ଅଲଗା ଅଲଗା ବେଙ୍ଗ ଭିନ୍ନ ଭିନ୍ନ ପରିମାଣର କେମିକାଲ୍ ଛାଡିଥାଏ। ଏଣୁ ବେଙ୍ଗରୁ ଚୁମିବା ପରେ ଆଖି ଓ ନାକରେ ଜଳାପୋଡ଼ା ହେବା ସମ୍ଭାବନା ରହିଛି। ଏପରିକି ଶରୀର ଭିତରେ ବିଭିନ୍ନ ଟିସ୍ୟୁକୁ ନଷ୍ଟ କରିବା ଆଶଙ୍କା ମଧ୍ୟ ଥାଏ। ବେଳେ ବେଳେ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।