ହିଜାବ ବିରୋଧୀ ଆନ୍ଦୋଳନରେ ବଳିପଡ଼ିଲେ ଯୁବକ, ପୁଲିସ ପିଟି ପିଟି ମାରିଦେଲା

ନୂଆଦିଲ୍ଲୀ: ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନରେ ଜଣେ ବଳିପଡ଼ିଛନ୍ତି। ହିଜାବ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଜଣେ ଯୁବ ସେଲିବ୍ରେଟିକୁ ପୁଲିସ ପିଟି ପିଟି ହତ୍ୟା କରିଛି। ଏହି ସେଲିବ୍ରେଟି ଜଣକ ହେଉଛନ୍ତି ମେହେରଶାଦ ଶାହିଦ୍‌। ସେ ଇରାନରେ ‘ଜାମି ଓଲିଭର’ ଭାବେ ପରିଚିତ। ଆଗକୁ ତାଙ୍କର ୨୦ତମ ଜନ୍ମଦିବସ ଥିଲା। ତେବେ ଜନ୍ମଦିନ ପାଳନ ପୂର୍ବରୁ ତାଙ୍କୁ ପୁଲିସ ପିଟିପିଟି ହତ୍ୟା କରିଥିବା  ଅଭିଯୋଗ ହୋଇଛି । ଶାହିଦ୍‌ଙ୍କକ ହତ୍ୟାକୁ ନେଇ ଇରାନ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଶାହିଦ୍‌ଙ୍କ ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ।

ଦି ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟ ଶାହିଦ୍ ଇରାନ୍‌ରେ ରିଭଲ୍ୟୁସନାରୀ ଗାର୍ଡରେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲା। ତାଙ୍କୁ ପୁଲିସ ଗିରଫ କରି ଅତି ନିଷ୍ଠୁର ଭାବେ ପିଟିଥିଲା। ତେବେ ଯାବତୀୟ ନିର୍ଯାତନାର ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଥଲା।  ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। କିନ୍ତୁ ତାଙ୍କର ହୃତଘାତ ପାଇଁ ମୃତ୍ୟୁ ହୋଇ ଥିବା କହିବା ପାଇଁ ପରିବାର ଲୋକଙ୍କୁ ଚାପପ୍ରୟୋଗ କରାଯାଇଥିଲା।

ସେପ୍ଟେମ୍ବର ୧୩ ଠାରୁ ଇରାନ୍‌ରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଧିରେ ଧିରଆ ବ୍ୟାପକ ତଥା ହିଂସାଭିମୁଖୀ ହେବାରେ ଲାଗିଛି। ବିଶେଷକରି ଇରାନୀ ମହିଳାମାନେ ଏବେ ହିଜାବ ପରିଧାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ଇରାନ୍ ସରକାର ସେମାନଙ୍କୁ ବଳପୂର୍ବକ ଘଉଡାଇବା ପାଇଁ ସବୁପ୍ରକାର ପ୍ରୟାସ କରୁଛି। କିଛି ଇରାନୀ ମହିଳା ସରକାରଙ୍କ ମହିଳାଙ୍କ ପାଇଁ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୀତିକୁ ବିରୋଧ କରି କେଶ କାଟିଦେଇଛନ୍ତି। କେଶ କାଟିବାର ଭିଡିଓ ମଧ୍ୟ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି ନିଆଁରେ ଘିଅ ଢାଳିବାର କାମ କରିଛନ୍ତି।

ସବୁଠୁ ବଡ଼କଥା ହେଉଛି ଏବେ ମହିଳାଙ୍କ ସହ ପୁରୁଷମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେହିପରି ଛାତ୍ରୀଙ୍କ ସହ ଛାତ୍ରମାନେ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଇରାନ୍‌ର ଗୋଟିଏ ପ୍ରାନ୍ତରୁ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ରୂପୀ ନିଆଁ ବର୍ତ୍ତମାନ ସୁଦ୍ଧା ଇରାନର ୧୫ଟି ସହରକୁ ସମ୍ପ୍ରସାରିତ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।