ରୋହିଙ୍ଗ୍ୟା କ୍ୟାମ୍ପରେ ଲାଗିଲା ନିଆଁ: ୧୫ ମୃତ, ୪୦୦ଙ୍କ ପତ୍ତା ମିଳୁନି

ଢାକା: ବାଂଲାଦେଶରେ ଥିବା ରୋହିଙ୍ଗ୍ୟାଙ୍କ କ୍ୟାମ୍ପରେ ବଡ଼ଧରଣର ନିଆଁ ଲାଗିଯାଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ନିଖୋଜ ହୋଇଯାଇଛନ୍ତି। ଏ ସମ୍ପର୍କରେ ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ସୂଚନା ଦେଇଛି।

ବାଂଲାଦେଶର ଢାକାରୁ ୟୁଏନଏଚଆରସିର ଜୋନେସ ଭାନ ଡେର କଲାୱ ଭିଡିଓ କନଫରେନ୍ସିଂରେ କହିଛନ୍ତି, ରୋହିଙ୍ଗ୍ୟା କ୍ୟାମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷିୟକ୍ଷତି ହୋଇଛି। ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନେ ଭିଡ଼ ଭିତରେ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାରେ ୫୬୦ ଜଣ ଆହତ ହୋଇଥିବା ବେଳେ ୪୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିଆଁ କେମିତି ଲାଗିଲା, ତାହା ଜଣାପଡ଼ି ନାହିଁ।

ସେ ଆହୁରି କହିଛନ୍ତି, କକ୍ସ ବଜାର ନିକଟ ବାଲୁଖାଲିରେ ଥିବା ରୋହିଙ୍ଗ୍ୟା କ୍ୟାମ୍ପରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ପ୍ରାୟ ୧,୨୪,୦୦୦ ଲୋକ ରହୁଥିଲେ। ଘଟଣା ପରେ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଛି। ହଜାରେରୁ ଅଧିକ ରେଡକ୍ରସ ଓ ଅନ୍ୟାନ୍ୟ ଟିମ୍‌ ଲୋକଙ୍କୁ ସହାୟତା କରିବାରେ ଲାଗିଛନ୍ତି।

ରୋହିଙ୍ଗ୍ୟାମାନେ ଧ୍ୱଂସାବଶେଷ ତଳୁ ନିଜ ପରିବାର ଓ ଆସବାବପତ୍ର ଖୋଜିବାରେ ଲାଗିଛନ୍ତି। ପୂର୍ବରୁ କେବେ ଏମିତି ଘଟଣା ଦେଖିବାକୁ ମିଳି ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ବାଂଲାଦେଶ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।