ନାଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୭ ଜଣଙ୍କ ମୃତ୍ୟୁ

ଜାକାର୍ତ୍ତା: ଇଣ୍ଡୋନେସିଆର ମେନ୍‌ ଆଇସଲ୍ୟାଣ୍ଡ ଅଫ ଜାଭାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ ଯୋଗୁ ଗୋଟିଏ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଥିବା ୨୦ ଫୁଟ ଗଭୀର ନାଳକୁ ଖସିପଡ଼ିଛି। ନାଳରେ ବସ୍ ବୁଡ଼ିଯିବାରୁ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି।

ବସ୍‌ଟି ଇସଲାମିକ ଜୁନିୟର ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ପଶ୍ଚିମ ଜାଭା ପ୍ରଦେଶର ସୁବାଙ୍ଗ ସହରରୁ ଆସିଥିଲା। ତେବେ ଏହା ୱିଡିଂ ରୋଡ୍‌ରେ ଆସୁଥିବା ବେଳେ ହଠାତ୍‌ ଏହାର ବ୍ରେକ୍‌ ଫେଲ ହୋଇଥିଲା। ଫଳରେ ଏହା ସିଧାସଳଖ ନାଳରେ ଖସି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ।

କିନ୍ତୁ ସେତେବେଳକୁ ୨୭ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ଗୁରୁତର ଆହତ ହୋଇଥିବା ୩୯ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ପୁଲିସ୍‌ କହିଛି ଯେ ପ୍ରଦେଶର ତାସ୍କିମାଲାୟା ଜିଲ୍ଲାରେ ଥିବା ଗୋଟିଏ ତୀର୍ଥ ସ୍ଥାନରୁ ବସ୍‌ଟି ସମସ୍ତଙ୍କୁ ଧରି ସୁବାଙ୍ଗରୁ ଆସିଥିଲେ। ବୁଲାବୁଲି କରି ସାରିବା ପରେ ସମସ୍ତେ ବସ୍‌ ଯୋଗେ ଫେରୁଥିବା ବେଳେ ସୁମେଡଙ୍ଗା ଜିଲ୍ଲାର ଏକ ଗଡ଼ାଣିଆ ସ୍ଥାନରେ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ୨୦ ଫୁଟ ତଳକୁ ଖସି ନାଳରେ ପଡ଼ିଥିଲା। ପ୍ରଥମେ ଆମେ ପାଣିରୁ ବସ୍‌ଟିକୁ ବାହାରକୁ ଆଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ।

ପୁଲିସ୍‌ ଦୁର୍ଘଟଣାର କାରଣ ଖୋଜୁ ଥିବା ବେଳେ ଆହତମାନେ ବ୍ରେକ୍‌ ଫେଲ ଯୋଗୁ ଏପରି ଘଟିଥିବା କହିଛନ୍ତି। ବସ୍‌ ମଧ୍ୟରୁ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ସେଠାରୁ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ୨୭ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଆହତ ୩୯ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ବସ୍‌ର ଡ୍ରାଇଭର ବି ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।