ହଳଦିଆ ପଡ଼ିଗଲା ସହର, ୩୪୧ ନିଖୋଜ

ବିଜିଂ: ହଠାତ୍ ହଳଦିଆ ପଡିଗଲା ସହର। ଚାରିଆଡେ ଛାଇଗଲା ଧୂଳି ଧୂଆଁ। ଚୀନର ରାଜଧାନୀ ବିଜିଂରୁ ଆସିଛି କିଛି ଏଭଳି ଚିତ୍ର। ଯାହାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ଏହି ଫଟୋଗୁଡିକରେ ବିଜିଂ ସହର ହଳଦିଆ ପଡିଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ସୋମବାର ସକାଳୁ ବିଜିଂ ବାସିନ୍ଦାଙ୍କୁ ଭୟଙ୍କର ଧୂଳି ଝଡ଼ର ସାମ୍ନା କରିବାକୁ ପଡିଛି। ମଙ୍ଗୋଳିଆ ଏବଂ ଉତ୍ତର-ପଶ୍ଚିମ ଚୀନ ପଟୁ ଆସୁଥିବା ଧୂଳି ଝଡ ଏବେ ବିଜିଂରେ ପହଁଚିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଏପରିକି ଧୂଳି ଝଡ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡିଛି। ସେପଟେ ଏହାକୁ ନେଇ ଚୀନରେ ଚିନ୍ତା ବଢ଼ିଛି। ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୪୦୦ଟି ବିମାନ ଉଡାଣ ବାତିଲ ହୋଇଛି। ସେପଟେ ବିଜିଂରେ ବାୟୁର ମାନ ୧୦୦୦ ଉପରକୁ ଚାଲିଯାଇଛି। ଯାହା ପରିବେଶ ଏବଂ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସେପଟେ ଏହା ଚଳିତ ବର୍ଷର ସବୁଠାରୁ ବଡ ଧୂଳିଝଡ ବୋଲି ସେଠାକାର ସ୍ଥାନୀୟ ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।

City turn yellow
ଦେଖନ୍ତୁ କିଭଳି ହଳଦିଆ ପଡିଯାଇଛି ସହର

ଚୀନ ନ୍ୟୁଜ ଏଜେନ୍ସି ଶିହ୍ନାଓ ମୁତାବକ, ପଡୋଶୀ ଦେଶ ମଙ୍ଗୋଲିଆରେ ମଧ୍ୟ ପ୍ରବଳ ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଯୋଗୁଁ ପାଖାପାଖି ୩୪୧ ଜଣ ନିଖୋଜ ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଗୋବି ମରୁଭୂମି ସମେତ ଉତ୍ତର ଚୀନରେ ବଡ ସଂଖ୍ୟାରେ ଗଛ କଟା ଚାଲିଛି, ଯାହା ପରିବେଶ ପାଇଁ ବିପଦ ହେବା ସହ ବିଜିଂ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଗଛ କାଟା ଚାଲିଥିବା ଯୋଗୁଁ ଏହି ଝଡ ଥମିବାର ନାଁ ଧରୁନାହିଁ। ଫଳରେ ବାଲି ଧୂଳିରେ ସହର ଢ଼ାଙ୍କି ହୋଇଯାଉଛି। ଏହି କାରଣ ଯୋଗୁଁ ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ନିୟମିତ ରୂପେ ବିଜିଂକୁ ଧୂଳି ଝଡର ସାମ୍ନା କରିବାକୁ ପଡୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।