ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ! ପରମାଣୁ ଯୁଦ୍ଧାଭ୍ୟାସ ପାଇଁ ରୁଷର ସଜବାଜ

ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ ତଥା ରୁଷ କଥାରେ ପରିଚାଳିତ ବେଲାରୁଷ କିଭ୍‌ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଛି।

ବେଲାରୁଷର ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ କହିଛନ୍ତି ଯେ ଦେଶର ଆର୍ମି ଓ ସ୍ୱତନ୍ତ୍ର ସର୍ଭିସେସ ପଡ଼ୋଶୀ ଦେଶର ସବୁ ପ୍ରକାରର ଉତ୍ତଜେନାମୂଳକ ପଦକ୍ଷେପର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନେ ଯେକୌଣସି ମୁହୂର୍ତ୍ତରେ ଜବାବ ଦେବାକୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରନ୍ତି।

ଏପରି ବୟାନ ପୂର୍ବରୁ ପ୍ରାୟ ସପ୍ତାହ ଧରି ବେଲାରୁଷର ସେନା ଯୁଦ୍ଧାଭ୍ୟାସ କରିଥିଲା। ଏଥିରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ ଦେଶର ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାଶେନକୋ ୟୁକ୍ରେନ ଯୁଦ୍ଧରେ ରୁଷର ସହାୟତା ପାଇଁ ନିଜର ସେନା ପଠାଇପାରନ୍ତି। ଏହି ଆଶଙ୍କା ଭିତରେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଆସିଛି।

ଅନ୍ୟପକ୍ଷରେ ରୁଷ ପରମାଣୁ ଯୁଦ୍ଧର ଧମକ ଦେଇଛି। ଏଥିସହ ମସ୍କୋ ପରମାଣୁ ଯୁଦ୍ଧାଭ୍ୟାସ କରିବାକୁ ସଜବାଜ ହେଉଛି। ଏହା ଉପରେ ଆମେରିକା ଓ ନାଟୋ ନଜର ରଖିବା ସହ ଆଲର୍ଟରେ ରହିଛନ୍ତି। ନୋଟୋର ମୁଖ୍ୟ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି ଯେ ସେମାନେ ରୁଷର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି।

ବେଲାରୁଷର ବୈଦେଶିକ ମନ୍ତ୍ରୀ ମାକେଇ କହିଛନ୍ତି, “ଦେଶରେ ଆତଙ୍କବାଦୀ ଦମନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ପଡ଼ୋଶୀ ଦେଶଗୁଡ଼ିକର ସବୁ ପ୍ରକାରର ପଦକ୍ଷେପ ଓ ଉତ୍ତେଜନାମୂଳକ କାର୍ଯ୍ୟକଳାପର ଜବାବ ଦେବାକୁ ଆର୍ମି ପ୍ରସ୍ତୁତ ହୋଇ ରହିଛି।” ବେଲୁରଷରେ ବିଗତ ଗୋଟିଏ ସପ୍ତାହ ହେଲା ବିଭିନ୍ନ ପ୍ରକାରର ସମାରିକ କାର୍ଯ୍ୟକଳାପ ଜାରି ରହିଥିଲା।

ରୁଷ ଠିକ୍‌ ଭାବେ ୟୁକ୍ରେନ ସେନାର ଜବାବ ଦେଇ ପାରୁ ନଥିବାରୁ ବେଲାରୁଷ ସହାୟତା କରିବାକୁ ଆଗ୍ରହ ଦେଖାଇଥିବା କୁହାଯାଉଛି। ଏଥିପାଇଁ ଦେଶର ଆର୍ମିକୁ ରୁଷର ସହାୟତା କରିବାକୁ ପ୍ରସ୍ତୁତ ରହିବା ପାଇଁ ବେଲାରୁଷ ରାଷ୍ଟ୍ରପତି ଲୁକାଶେନକୋ କହିଛନ୍ତି। ଏଥିସହ ସେ ଦେଶର ସେନାକୁ ୟୁକ୍ରେନ ସୀମାରେ ମୁତୟନ ହୋଇଥିବା ରୁଷ ସୈନ୍ୟଙ୍କ ସହ ଏକାଠି ରହିବାକୁ ବି ପରାମର୍ଶ ଦେଇଛନ୍ତି।

ରୁଷ ବି ୟୁକ୍ରେନ ବିରୋଧରେ ପରମାଣୁ ଯୁଦ୍ଧ କରିବାକୁ ସଜବାଜ ହେଉଛି। ଏଥିପାଇଁ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ମସ୍କୋ ବଡ଼ଧରଣର ଡ୍ରିଲ ଆରମ୍ଭ କରିବାକୁ ଯାଉଛି। ପ୍ରତିବର୍ଷ ଏହି ସମୟରେ ସାଧାଣତଃ ରୁଷ ଏପରି ଡ୍ରିଲ କରେ। ହେଲେ ଏଥର ୟୁକ୍ରେନ ସହ ଯୁଦ୍ଧ ଚାଲିବା ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ଧମକ ଦେଇଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।