ମୋଦି-ବାଇଡେନଙ୍କ ରଣନୀତି ଦେଖି ଚାଇନା ଛାନିଆ

ନୂଆଦିଲ୍ଲୀ: କ୍ୱାଡ ଦେଶ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫେରନସିଂ ଜରିଆରେ ବୈଠକ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ‘ବସୁଧୈବ କୁଟୁମ୍ବକମ୍’କୁ ଗୁରୁତ୍ୱ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ କ୍ୱାଡ ଦେଶ ମିଳିତ ଭାବରେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ତେବେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ଚାଇନା ପ୍ରତିକ୍ରିୟା ରଖିଛି। ଯାହାକି କ୍ୱାଡ ଗ୍ରୁପର ବୈଠକକୁ ନେଇ ଚାଇନା ଚିନ୍ତିତ ବୋଲି ଜଣାପଡ଼ିଛି। ଏମିତିକି କ୍ୱାଡ ଦେଶ ମଧ୍ୟରେ ହେବାକୁ ଥିବା ବୁଝାମଣା ଚାଇନାକୁ ଟାର୍ଗେଟ କରି ନହେବା ଦରକାର ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟ ପରୋକ୍ଷରେ କହିଛି।

କ୍ୱାଡ ଦେଶର ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଯୋଗ ଦେଇଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ଏହା ଥିଲା ତାଙ୍କର ପ୍ରଥମ ବୈଠକ। ଏହି ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଆମର ଏଜେଣ୍ଡାରେ କରୋନା ଟିକା, ଜଳବାୟୁ ପରିବର୍ତ୍ତନ ଏବଂ ଆଇଟିର ସଠିକ୍ ବ୍ୟବହାର। ଯାହା ଦ୍ୱାରା ସମାଜର ଉନ୍ନତି ପାଇଁ ବ୍ୟବହାର କରାଯାଇପାରିବ। ସେ ଆହୁରି କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ ଏହି ଚାରି ଦେଶ ଏକାଠି ରହିବା ଦରକାର।

ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହି ଚାରି ଦେଶ ଏକାଠି ଅଛନ୍ତି। ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଚାଲିବ ବୋଲି ମୋଦି କହିଛନ୍ତି। ଏକାଠି ହୋଇ କାମ କରିବାର ହେଉଛି ଭାରତର ‘ବସୁଧୈବ କୁଟୁମ୍ବକମ୍’କୁ ବୁଝାଏ। ସେ କହିଛନ୍ତି ଯେ ଏକାଠି ଆମକୁ ଏକ ଧର୍ମନିରପେକ୍ଷ, ସ୍ଥିର ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସୃଷ୍ଟି କରିବାକୁ ପଡିବ।

ସେହିପରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମେ ଉଦବୋଧନ ଦେଇ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ ଆମେରିକା ତାର ସହଯୋଗୀମାନଙ୍କ ସହ ଏକାଠି ହୋଇ କାମ କରିବ। ବାଇଡେନ ଆହୁରି କହିଛନ୍ତି ଯେ ସମସ୍ତ ସଦସ୍ୟଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହା ସହିତ କରୋନା ଟିକାକରଣରେ ଯେମିତି ବାଧା ନଉପୁଜିବ ସେଥିପ୍ରତି ଧ୍ୟାନ ଦେବା ଉଚିତ୍। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ରଣନୀତିକ ବିଶ୍ୱାସର ସହଭାଗିତା ଆବଶ୍ୟକ।

ଚାଇନା ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ଚାଇନାର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର କରିବା ଲାଗି ଏହି ଚାରି ଦେଶ ଏକ ହୋଇଛନ୍ତି। ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ ମୁକ୍ତ, ଅବାଧ ଓ ନିୟନ୍ତ୍ରଣ ବିହୀନ କରିବା ସହ ଚାଇନାର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରିବା ହେଉଛି ବୈଠକର ମୂଳ ଲକ୍ଷ୍ୟ। ଆଉ ଚାଇନା ପ୍ରସଙ୍ଗରେ ମୁକ୍ତ ଭାବରେ ଆଲୋଚନା ହେବା ଦରକାର ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି।

ତେବେ କ୍ୱାଡ ସମ୍ମିଳନୀକୁ ନେଇ ଚାଇନା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି, ଦେଶ ମଧ୍ୟରେ ଆଦାନପ୍ରଦାନ ଏବଂ ସହଯୋଗ ତୃତୀୟ ପକ୍ଷ ଅପେକ୍ଷା ସେହି ଦେଶ ମଧ୍ୟରେ ‘ପାରସ୍ପରିକ ବୁଝାମଣା’ ଏବଂ ବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବା ଉଚିତ୍। ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ସଂପୃକ୍ତ ଦେଶଗୁଡ଼ିକ ସମସ୍ତଙ୍କ ପାଇଁ ମୁକ୍ତ, ଲାଭଦାୟକ ନୀତି ରକ୍ଷା କରିବେ ଏବଂ ସ୍ୱତନ୍ତ୍ର ଗୋଷ୍ଠୀ ତିଆରିରୁ ଦୂରେଇ ରହିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।