ଚାଇନା ତିଆରି କରିଥିବା ଟିକା ନେଲେ ବେଜିଂ ଯିବାକୁ ମିଳିବ ଭିସା

ବେଜିଂ: ମହାମାରୀ କରୋନା କଟକଣା ବେଳେ ନୂଆ ଭେଳିକି ଦେଖାଇଛି ଚାଇନା। ଆମେରିକା, ଭାରତ ଓ ପାକିସ୍ତାନ ଭଳି କିଛି ଦେଶ ପାଇଁ ସୀମାରେ ଲଗାଇଥିବା କଟକଣାକୁ ଚାଇନା କୋହଳ କରିଛି। ହେଲେ ଚାଇନାକୁ ପ୍ରବେଶ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ବେଜିଂ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଯଦି କୌଣସି ବିଦେଶୀ ନାଗରିକ ଚାଇନାରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଚାଇନାରେ ବିକଶିତ ହୋଇଥିବା ଯେକୌଣସି କରୋନା ଟିକା ନେବାକୁ ପଡ଼ିବ। ଯେଉଁମାନେ ଚାଇନାର କରୋନା ଟିକା ନେଇଥିବେ, ସେମାନଙ୍କୁ ହିଁ ବେଜିଂରେ ପ୍ରବେଶ ପାଇଁ ଭିସା ମିଳିବ।

ବିଭିନ୍ନ ରାଷ୍ଟ୍ରରେ ଥିବା ଚାଇନିଜ୍‌ ଦୂତାବାସକୁ ଜାରି ନିର୍ଦ୍ଦେଶନାମରେ ଚାଇନା ସରକାର କିଛି ନିର୍ଦ୍ଦିଷ୍ଟ ବିଦେଶୀ ନାଗରିକଙ୍କୁ ବେଜିଂ ପ୍ରବେଶ ପାଇଁ ଭିସା ଦେଇପାରିବେ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଚାଇନାରେ ନିର୍ମିତ କରୋନା ଟିକା ନେଇଥିବେ, ସେମାନଙ୍କୁ ହିଁ ଦୂତାବାସ ପକ୍ଷରୁ ଭିସା ପ୍ରଦାନ କରାଯିବ। ଭିସା ପାଇଁ ଆବେଦନ କରିବାକୁ ଥିବା ଲୋକମାନେ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବେ କିମ୍ବା ଅତିକମରେ ଆବେଦନର ୧୪ ଦିନ ପୂର୍ବରୁ ଟିକାର ପ୍ରଥମ ଡୋଜ୍‌ ନେଇଥିବେ।

ଭାରତୀୟମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ହେଲେ ଭାରତରେ ଏଯାଏ କୌଣସି ଚାଇନିଜ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ତେଣୁ ଭାରତରୁ ଚାଇନା ଯିବାକୁ ଚାହୁଁଥିବା ଲୋକମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକା ତୁର୍କୀ, ଇଣ୍ଡୋନେସିଆ ଓ କମ୍ବୋଡିଆ ଭଳି ଏକାଧିକ ଦେଶରେ ବ୍ୟବହାର ହେଉଛି।

ଏକାଧିକ ରାଷ୍ଟ୍ର ଚାଇନିଜ୍‌ ଟିକା ଉପରେ ବିଶ୍ୱାସ କରୁ ନଥିବାରୁ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇନାହାନ୍ତି। ଏପରି ସ୍ଥିତିରେ ଚାଇନା ଭିସା ପାଇଁ ନିଜ ଦେଶର ଟିକା ବାଧ୍ୟତାମୂଳକ କରିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।