ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଲେ ଆଉ ଦୁଇଟି ବଡ଼ ଦେଶ

ପ୍ୟାରିସ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାର ବ୍ୟବହାର ଉପରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ରୋକ ଲଗାଇବା ଆରମ୍ଭ କରିଛନ୍ତି। ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବା ବିଶେଷଜ୍ଞମାନେ ଆକଳନ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଏକାଧିକ ରାଷ୍ଟ୍ର ଏପରି ପଦକ୍ଷେପ ନେବାରେ ଲାଗିଛନ୍ତି।

ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ଆଷ୍ଟ୍ରାଜେନେକା ଟିକା ଉପରେ ତାଙ୍କ ଦେଶ ରୋକ ଲଗାଉଥିବା ଘୋଷଣା କରିଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସରକାର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସେ କହିଛନ୍ତି, ଫ୍ରାନ୍ସ ପ୍ରଶାସନ ଟିକାର ଡୋଜ୍‌ ବ୍ୟବହାର ‌ଉପରେ ମଙ୍ଗଳବାର ମଧ୍ୟାହ୍ନ ଯାଏ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହାପରେ ୟୁରୋପୀୟ ମେଡିସିନ୍ସ ଏଜେନ୍ସ ଯାହା ଘୋଷଣା କରିବ, ତଦ୍‌ନୁଯାୟୀ ପଦକ୍ଷେପ ନିଆଯିବ। ତେବେ ସେ କାହିଁକି ଆଷ୍ଟ୍ରାଜେନେକା ଟିକା ଉପରେ ରୋକ ଲଗାଗଲା, ସେକଥା କହିନାହାନ୍ତି।

ଫ୍ରାନ୍ସ ପୂର୍ବରୁ ୟୁରୋପୀୟ ଦେଶ ଜର୍ମାନୀ ମଧ୍ୟ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଥିଲା। କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବାର ରିପୋର୍ଟ ମିଳିବାରୁ ଜର୍ମାନୀ ଅସ୍ଥାୟୀ ଭାବେ ଟିକାର ବ୍ୟବହାର ଉପରେ ରୋକ ଲଗାଇଛି।

ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜର୍ମାନୀର ଜାତୀୟ ଟିକା ରେଗୁଲେଟର The Paul Ehrlich Instituteର ପରାମର୍ଶକ୍ରମେ ଟିକାର ବ୍ୟବହାର ଉପରେ ରୋକ ଲଗାଯାଇଛି। ଟିକା ନେବା ପରେ ୭ ଜଣଙ୍କ ଶରୀରରେ ବିପଦଜନକ ଭାବେ ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଥିଲା।

ଏହା ଟିକା ନେବା ଦ୍ୱାରା ହୋଇଛି କି ଅନ୍ୟ କୌଣସି କାରଣରୁ, ତା’ର ଯାଞ୍ଚ କରାଯାଉଛି। ରିପୋର୍ଟ ମିଳିବା ପରେ ଆଗକୁ ଆଷ୍ଟ୍ରାଜେନେକା ଟିକା ବ୍ୟବହାର କରାଯିବ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ କେବଳ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏହାର ବ୍ୟବହାର ଉପରେ ରୋକ ଲଗାଯାଇଥିବା ସେ କହିଛନ୍ତି।

ଏହାପୂର୍ବରୁ ଡେନମାର୍କ, ଥାଇଲ୍ୟାଣ୍ତ, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ନରୱେ, ଆଇସଲ୍ୟାଣ୍ଡ, କଙ୍ଗୋ ଓ ବୁଲଗେରିଆ ଭଳି ଦେଶ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ଉପରେ ରୋକ ଲଗାଇଥିଲେ। ରକ୍ତ ଜମାଟ ବାନ୍ଧୁଥିବାରୁ ହାର୍ଟ ଆଟାକ, ଅନ୍ୟାନ୍ୟ ଷ୍ଟ୍ରୋକ ଓ ଫୁସଫୁସ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।