ଯୁଦ୍ଧ କ୍ଷେତ୍ରରେ ସହିଦ ହୋଇଗଲେ ‘କିଭ୍ ଭୂତ’
କିଭ୍: କିଭ୍ ଆକାଶରୁ ହଜିଗଲା ଭୂତ। ଆଖିବୁଜିଲେ ଘୋଷ୍ଟ ପାଇଲଟ। ୪୦ଟି ରୁଷ ଯୁଦ୍ଧ ବିମାନକୁ ମାରି ଖସାଇଥିବା ଏହି ଘୋଷ୍ଟ ପାଇଲଟଙ୍କ ଆଉ ଶୁଣିବାକୁ ମିଳୁନି ଗର୍ଜନ। ଅଦ୍ୟମ ସାହାସର ପରଚିୟ ଦେଇଥିବା ୟୁକ୍ରେନ୍ର ୨୯ ବର୍ଷୀୟ ଘୋଷ୍ଟ ପାଇଲଟ ମେଜର ଷ୍ଟୋପାନ ତାରାବଲକା ଏବେ ନରମି ଯାଇଛନ୍ତି। ଗତମାସରେ ରୁଷ ଯୁଦ୍ଧ ବିମାନର ସାମ୍ନା କରି ସେ ସହିଦ ହୋଇଛନ୍ତି।
ମାସକ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ମାର୍ଚ୍ଚ ୧୩ ତାରିଖରେ ମିଗ୍-୨୯ ଯୁଦ୍ଧ ବିମାନକୁ ଆକାଶରେ ଉଡାଉଥିବା ବେଳେ ରୁଷ ସେନାର ଗୁଳିମାଡରେ ସହିଦ ହୋଇଛନ୍ତି ଷ୍ଟୋପାନ ତାରାବଲକା। ଦୁଇ ମାସ ତଳେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ୟୁକ୍ରେନର କିଭ ଆକାଶରେ ବୁଲୁଥିଲା ଏକ ଅଜଣା ଫାଇଟର ଜେଟ୍। ଏହି ଫାଇଟର୍ ଜେଟ୍କୁ ସମସ୍ତେ ଘୋଷ୍ଟ ଅଫ୍ କିଭ୍ ବୋଲି କହୁଥିଲେ।
କିଭ୍ର ଏହି ଭୂତ ରୁଷ ସେନା ଉପରେ ଆଖିବୁଜା ଆକ୍ରମଣ କରୁଥିଲା। ଧ୍ୱଂସ କରୁଥିଲା ଗୋଟେ ପରେ ଗୋଟେ ରୁଷ ଯୁଦ୍ଧ ବିମାନ। ହେଲେ ଏହି ବିମାନ କେଉଁଠୁ ଆସିଲା, ଏହାକୁ କିଏ ଚଳାଉଥିଲା ତାହା କୌଣସି ୟୁକ୍ରେନ ବାସୀଙ୍କୁ ଜଣାନଥିଲା। ତେଣୁ ଏଠିକାର ଲୋକେ ଏହି ବିମାନକୁ ‘ଘୋଷ୍ଟ କ୍ରାଫ୍ଟ’ ଓ ଏହି ବିମାନ ଚାଳକଙ୍କୁ ‘ଘୋଷ୍ଟ ପାଇଲଟ୍’ ବୋଲି କହୁଥିଲେ। ଯୁଦ୍ଧର ପ୍ରଥମ ଦିନରେ ହିଁ ଏହି ଘୋଷ୍ଟ ପାଇଲଟ ରୁଷ ସେନାର ୬ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ସେତେବେଳେ ତାଙ୍କ ପରିଚୟକୁ ସାର୍ବଜନୀନ କରାଯାଇନଥିଲା। ଯୁଦ୍ଧର ୨ ମାସପରେ ଏହି ଘୋଷ୍ଟ ପାଇଲଟଙ୍କ ଏବେ ପରିଚୟ ମିଳିଛି।
କିଭ୍ର ଘୋଷ୍ଟ ପାଇଲଟ୍ ମେଜର ଷ୍ଟୋପାନ ତାରାବଲକା ଯୁଦ୍ଧରେ ଏବେ ସହିଦ ହୋଇଛନ୍ତି। ଏନେଇ ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ‘ଲୋକେ ତାଙ୍କୁ ଘୋଷ୍ଟ ଅଫ୍ କିଭ୍ କହୁଥିଲା, ଠିକ୍ କହୁଥିଲେ। ସେ ରୁଷ ଯୁଦ୍ଧ ବିମାନ ପାଇଁ ଖରାପ ସ୍ୱପ୍ନ ପଲଟି ଯାଇଥିଲେ ବୋଲି ୟୁକ୍ରେନ ସରକାରଙ୍କ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।
ତାରାବାଲକାଙ୍କ ସାହସିକତା ପାଇଁ ତାଙ୍କୁ ମରଣୋତ୍ତର ଭାବେ ୟୁକ୍ରେନର ଶୀର୍ଷ ପଦକ, ‘ଅର୍ଡର ଅଫ୍ ଦ ଗୋଲ୍ଡେନ୍ ଷ୍ଟାର’ ଆଖ୍ୟା ଦିଆଯାଇଛି। ତାରାବାଲକାଙ୍କ ପରିବାରରେ ତାଙ୍କ ପତ୍ନୀ ଓଲେନିଆ ଓ ଆଠ ବର୍ଷର ପୁଅ ୟାରିକ୍ ଅଛନ୍ତି।
ସୂଚନା ମୁତାବକ, ମେଜର ତାରାବାଲକା ପଶ୍ଚିମ ୟୁକ୍ରେନର କୋରୋଲିଭକା ଗାଁର ଏକ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଆକାଶରେ ଯୁଦ୍ଧ ବିମାନ ଉଡାଇବାକୁ ସେ ସ୍ୱପ୍ନ ଦେଖିଥିଲେ। ଶେଷରେ ପୂରଣ ହୋଇଥିଲା ତାଙ୍କର ସ୍ୱପ୍ନ। ପାଇଲଟ୍ ଭାବେ ସେନାରେ ଯୋଗ ଦେଇଥିଲେ ତାରାବାଲକା। ଏବେ ଶେଷରେ ଦେଶ ମାଟି ପାଇଁ ହିଁ ସେ ନିଜ ଜୀବନ ଦେଇଛନ୍ତି ଆଉ ହୋଇଯାଇଛନ୍ତି ସହିଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।