ୟୁକ୍ରେନ୍ ଉପରେ ଆଉ ଆକ୍ରମଣ କରିବନି ରୁଷ

ମସ୍କୋ: ୟୁକ୍ରେନ୍ ଉପରେ ଆଉ ଆକ୍ରମଣ କରିବନି ରୁଷ। ଏପରିକି ମିସାଇଲ୍ ମାଡ ମଧ୍ୟ ରୁଷ କରିନାହିଁ।  କେବଳ ସେତିକି ନୁହେଁ ୟୁକ୍ରେନ୍ ଅଧିକାଂଶ ଅଞ୍ଚଳ କବ୍‌ଜା କରିବାକୁ ଆଉ ସେନାକୁ ମଧ୍ୟ ପଠାଯିବ ନାହିଁ। ଖୋଦ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ କଥା କହିଛନ୍ତି।

କାଜାଖସ୍ଥାନର ରାଜଧାନୀ ଅସ୍ଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ୟୁକ୍ରେନକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଆଗକୁ ୟୁକ୍ରେନ ଉପରେ ଅଧିକ ପରିମାଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ ନାହିଁ। ୟୁକ୍ରେନର ଆହୁରି ଅଧିକ ଅଂଚଳ ଅଧିକାର କରିବାକୁ ଅଧିକ ସଂଖ୍ୟକ ସୈନ୍ୟ ପଠାଯିବ ନାହିଁ । ପଶ୍ଚିମଦେଶଗୁଡ଼କର ସମର୍ଥକ ଦେଶଗୁଡ଼ିକୁ ନଷ୍ଟ କରିଦେବା କ୍ରେମିଲିନ୍‌ର ଉଦ୍ଦେଶ୍ୟ ନୁହେଁ। ତେବେ ୟୁକ୍ରେନ ଉପରେ ଆକ୍ରମଣ କରି ସେ ଠିକ କରିଛନ୍ତି ଓ ଏଥିପାଇଁ କୌଣସି ଅବଶୋଷ ନାହିଁ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

କ୍ରିମିଆ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ ରୁଷ ୟୁକ୍ରେନ୍ ଉପରେ ପ୍ରବଳ ମିସାଇଲ୍ ମାଡ଼ କରିଥିଲା। ଏଥିରେ ୟୁକ୍ରେନର ରାଜଧାନୀ କିଭ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଭାଙ୍ଗିଯିବା ସହ ଏକାଧିକ ଜୀବନ ହାନି ଘଟିଥିଲା।

ୟୁକ୍ରେନ୍ ବିରୋଧରେ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା ବିଶ୍ୱ ସମୁଦାୟ। ରୁଷ ଜାଣିଶୁଣି ଜନବସତି ଅଞ୍ଚଳରେ ରକେଟ ମାଡ଼ କରିଛୁ। ଏଥିରେ ସାଧାରଣ ଜନତାଙ୍କର ଅକାଳ ବିୟୋଗ ହେଉଛି ବୋଲି ପଶ୍ଚିମ ଦେଶଗୁଡ଼ିକ ଅଭିଯୋଗ କରିଥିଲେ। ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।