ଭାରତ ସହ ସମ୍ପର୍କ ଯୋଡ଼ିବାକୁ ପ୍ରଲୋଭନ ଦେଖାଉଛି ପାକିସ୍ତାନ !

ଇସଲାମାବାଦ: ୨୦୧୯ରେ ଭାରତ ପୁଲଓ୍ୱାମା ଆକ୍ରମଣର କଡ଼ା ଜବାବ ଦେବା ପରେ ପାକିସ୍ତାନ ସହିତ ସମସ୍ତ ସମ୍ପର୍କ ବିଛିନ୍ନ ରହିଛି। ଏହାରି ଭିତରେ ଭାରତ ସହିତ ସମ୍ପର୍କ ଯୋଡ଼ିବା ପାଇଁ ପାକିସ୍ତାନ ଗୋଟି ଚଳାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ କିଭଳି ଏସିଆରେ ଥିବା ଦେଶ ମାନଙ୍କ ସହ ଭାରତ ଯୋଡ଼ି ହୋଇ ଲାଭବାନ ହେବ ସେ ନେଇ ଜ୍ଞାନ ବାଣ୍ଟିଛନ୍ତି ପାକିସ୍ତାନ ସେନାର ପ୍ରମୁଖ ବାଜଓ୍ୱା। ତେବେ ଅତୀତକୁ ଭୁଲି ଉଭୟ ଦେଶ ଆଗକୁ ବଢ଼ିବା ଦରକାର ବୋଲି ପାକିସ୍ତାନ ସେନାର ପ୍ରମୁଖ କମର ଜାଭେଦ ବାଜଓ୍ୱା ଇଣ୍ଡୋ-ପାକ୍ ରିଲେସନ ବୈଠକରେ କହିଛନ୍ତି।

ଭାରତର ଯବାନ ଏବଂ ସାଧାରଣ ଲୋକଙ୍କୁ ହତ୍ୟା କରି ଖୁସି ମନାଉଥିବା ପାକିସ୍ତାନ ସେନାର ପ୍ରମୁଖ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଲେ ପୂର୍ବ ଏବଂ ପଶ୍ଚିମ ଏସିଆ ମଧ୍ୟରେ ଯୋଗାଯୋଗ ସୁନିଶ୍ଚିତ ହେବ। ଏମିତି ହେଲେ ଦକ୍ଷିଣ ଏବଂ ମଧ୍ୟ ଏସିଆରେ ଥିବା ସମ୍ଭାବନା ଉନ୍ମୁକ୍ତ ହେବ। ତେବେ କଶ୍ମୀର ସମସ୍ୟାର ସମାଧାନ ନହେବା ଯାଏ ଏହି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ସମ୍ଭବ ନୁହେଁ ବୋଲି ବାଜଓ୍ୱା କହିଛନ୍ତି। ଦୁଇ ଦେଶ ପାଖରେ ପରମାଣୁ ବୋମା ରହିଛି। ଯେଉଁଥିପାଇଁ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ଏବଂ ଅନେକ ସମସ୍ୟା ସମାଧାନର କାରଣ ବୋଲି ସେ କହିଛନ୍ତି। ପୂର୍ବରୁ ବିଶ୍ୱଯୁଦ୍ଧ ଦେଖିଛି ବିଶ୍ୱ। ଏହା କିପରି ମାନବିକତା ଉପରେ ବିପଦ ସୃଷ୍ଟି କରେ ସମସ୍ତେ ଜାଣନ୍ତି ବୋଲି ବାଜଓ୍ୱା କହିଛନ୍ତି।

ଶାନ୍ତି ବାବଦରେ ନିଜର ମତ ରଖି ବାଜୱାଙ୍କ ଏହି ମନ୍ତବ୍ୟ ଦେବାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ପିଏମ୍ ଇମ୍ରାନ ଖାନ କହିଥିଲେ ଯେ ପାକିସ୍ତାନ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ହେବବ। ଇମ୍ରାନ କହିଥିଲେ ଆମେ ଭାରତ ସହ ସମ୍ପର୍କକୁ ଇଚ୍ଛୁକ। କିନ୍ତୁ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ହେବ। ସେମାନେ ଆଗକୁ ନବଢ଼ିବା ଯାଏ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଥିଲେ।

ତେବେ ଇମ୍ରାନଙ୍କ ମନ୍ତବ୍ୟ ପୂର୍ବରୁ ଗତ ମାସରେ ଭାରତ କହିଥିଲା ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସମ୍ପର୍କ ରଖିବାକୁ ଚାହୁଁଛି। ଆତଙ୍କବାଦ ଉପସ୍ଥିତିରେ ଭାରତ କୌଣସି କଥାବାର୍ତ୍ତା କରିବ ନାହିଁ ବୋଲି ସ୍ପଷ୍ଟ କରିଛି।

ଭାରତ ପାକିସ୍ତାନକୁ କହିଥିଲା ଯେ “ଆଲୋଚନା ଏବଂ ଆତଙ୍କ” ଏକାଠି ହୋଇପାରିବ ନାହିଁ। ଏଥିପାଇଁ ଭାରତ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଇସଲାମାବାଦ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଭାରତ କହିଥିଲା।

ଇମ୍ରାନ୍ ବୁଧବାର କହିଥିଲେ ପାକିସ୍ତାନ ସହ ଶାନ୍ତି ସ୍ଥାପନ କରି ଭାରତ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରିବ। ଏହାଦ୍ୱାରା ନୂଆଦିଲ୍ଲୀ ପାକିସ୍ତାନୀ ଅଞ୍ଚଳ ଦେଇ ନିଜର ଅର୍ଥନୀତି ମଜବୁତ କରିପାରିବ ଆଉ ଏସିଆରେ ମଧ୍ୟ ନିଜର ପ୍ରଭାବ ରଖିପାରିବ। ମଧ୍ୟ ଏସୀୟକୁ ସିଧାସଳଖ ପାକିସ୍ତାନ ଦେଇ ରାସ୍ତା ରହିଛି। ମଧ୍ୟ ଏସିଆ ତୈଳ ଏବଂ ଗ୍ୟାସରେ ଭରପୂର ଥିବାରୁ ଭାରତ ପାକିସ୍ତାନ ସହ ସମ୍ପର୍କ ରଖିବା ପାଇଁ ଆଗେଇ ଆସିବା ଦରକାର ବୋଲି ଇମ୍ରାନ୍ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।