ମୋଦିଙ୍କୁ କୃତଜ୍ଞତା ଜଣାଇ ପୋଷ୍ଟର ଲଗାଇଲା ଏହି ଦେଶ

ଓଟ୍ଟାଓ୍ୱା: ସାରା ବିଶ୍ୱ କରୋନା ବିରୋଧରେ ଲଢ଼େଇ କରୁଛି। ସମସ୍ତ ଦେଶ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଅଳ୍ପ କିଛି ଦେଶ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଏହାରି ଭିତରେ ଭାରତ ରହିଛି। ଭାରତ ପ୍ରସ୍ତୁତ କରିଥିବା ଦୁଇଟି ଟିକା ଉପରେ କିନ୍ତୁ ସାରା ବିଶ୍ୱ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଭାରତ ଏବେ ନିଜ ଦେଶର ଲୋକଙ୍କୁ କୋଭିଡ୍ ମହାମାରୀରୁ ଉଦ୍ଧାର କରିବା ପାଇଁ ଟିକା ଦେଉଛି। ଏଥିସହ ଅନ୍ୟ ଦେଶକୁ ମଧ୍ୟ ଟିକା ପଠାଇ ମହାମାରୀରୁ ମୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ଏପରିକି କିଛି ଦେଶକୁ ମଧ୍ୟ ଭାରତ ମାଗଣା ଟିକା ପଠାଇଛି। ଭାରତର ଏପରି ସାହାଯ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶ ପ୍ରଶଂସା କରିଛନ୍ତି।

ତେବେ ଏହାରି ଭିତରେ କାନାଡାକୁ ମଧ୍ୟ ଭାରତ ଟିକା ପଠାଇଛି। ଯାହାକୁ ନେଇ କାନାଡା ସରକାର କୃତଜ୍ଞତା ପ୍ରକାଶ କରିଛନ୍ତି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ। କାନାଡାର ଜାତୀୟ ରାଜପଥରେ ମୋଦିଙ୍କୁ କୃତଜ୍ଞତା ଜଣାଇ ଏକ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଉଲ୍ଲେଖ ରହିଛି ‘କାନାଡାକୁ କରୋନା ଟିକା ପଠାଇଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ, ଆଗକୁ ଭାରତ ଏବଂ କାନାଡାର ବନ୍ଧୁତ୍ୱ ଏଭିଭଳି ଜାରି ରହୁ’।

ନିକଟରେ ଖବର ସରବରାହ ସଂସ୍ଥା ଏନଆଇଏ ଏକ ଟ୍ୱିଟ୍ କରିଥିଲା। ଯେଉଁଥିରେ କାନାଡାର ଗ୍ରେଟର ଟୋରେଣ୍ଟୋର ଲୋକମାନେ ଟିକା ନେଇଥିଲେ। ଆଉ ରାସ୍ତାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଥିବାର ନଜିର ରହିଛି।

ସୂଚନାଯୋଗ୍ୟ, କାନାଡା ହେଉଛି ସେହି ଦେଶ ଯିଏ ଭାରତର କୃଷି ଆଇନକୁ ବିରୋଧ କରି ଅନେକ ସମାଲୋଚନା କିରଥିଲା। କୃଷି ଆଇନ୍ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏହାକୁ ନେଇ ଅନ୍ୟ ଦେଶ ମତାମତ ରଖିବା ଠିକ୍ ନୁହେଁ ବୋଲି ଜବାବରେ ଭାରତ କହିଥିଲା।

ଭାରତ କାନାଡା ବ୍ୟତୀତ ବାଂଲାଦେଶ, ନେପାଳ, ମିଆଁମାରକୁ ମଧ୍ୟ କରୋନା ଟିକା ପଠାଇଥିଲା। ଏହା ବ୍ୟତୀତ ଭାରତ ମୋରିସସ, ବ୍ରାଜିଲ, ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଟିକା ପଠାଇଛି। ନିକଟରେ ପାକିସ୍ତାନ ମଧ୍ୟ ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା କୋଭାକ୍ସ ଜରିଆରେ ନେବ ବୋଲି ଜଣାପଡ଼ିଛି। ସାରା ବିଶ୍ୱରେ ଟିକା ପହଞ୍ଚାଇବା ପାଇଁ ଏକ ଆଲାଏନ୍ସ ବା ମଞ୍ଚ ପ୍ରସ୍ତୁତ ହୋଇଛି। ଏହା ଜରିଆରେ ବିଭିନ୍ନ ଦେଶରେ ଟିକା ପହଞ୍ଚୁଛି। ପାକିସ୍ତାନ ଏହି ଜିଏଭିଆଇ (Global Alliance for Vaccinations & Immunizations) ଜରିଆରେ ମେଡ୍ ଇନ୍ ଇଣ୍ଡିଆର ୪୫ ମିଲିଅନ୍ ଡୋଜ ନେବାକୁ ଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।