ନରମିଲା ରୁଷର ସ୍ୱର: ଆଲୋଚନା ପାଇଁ ଆଗ୍ରହ ଦେଖାଇଲା

ମସ୍କୋ: ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଓ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଉଥିବା ରୁଷ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା ଜାରି ରଖିଥିଲେ ମଧ୍ୟ ଆଶାତୀତ ସଫଳତା ପାଇନାହିଁ। ୟୁକ୍ରେନ ପରି ଗୋଟିଏ ଛୋଟିଆ ଦେଶ ରୁଷକୁ କଡ଼ା ଟକ୍କର ଦେଉଥିବା କ୍ରେମଲିନ ବିଚଳିତ ହୋଇପଡ଼ିଛି। ଏଥିପାଇଁ ଏବେ ରୁଷ ଆଲୋଚନାର ପଥ ବାଛିଛି।

କ୍ରେମଲିନ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ୟୁକ୍ରେନରେ ନିଜର ଲକ୍ଷ୍ୟ ସାଧାନ ପାଇଁ ରୁଷ ଆରମ୍ଭ କରିଥିବା ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନରେ କୌଣସି ପରବର୍ତ୍ତନ ହୋଇନି। କିନ୍ତୁ ଏହି ଲକ୍ଷ୍ୟକୁ ରୁଷ ବୁଝାମଣା ଓ ଆଲୋଚନା ଦ୍ୱାରା ମଧ୍ୟ ହାସଲ କରିବାକୁ ରାଜି ଅଛି।

କ୍ରେମଲିନର ମୁଖପାତ୍ର ଡିମିତ୍ରି ପେସକୋଭ ରୁଷର ଖବରକାଗଜ ଏଲଜଭେଷ୍ଟିଆକୁ ଦେଇଥିବା ଏକାଧିକ ବୟାନକୁ ଦେଖିଲେ ମସ୍କୋ ଏବେ ଆଲୋଚନା ପାଇଁ ରାଜି ଥିବା ସ୍ପଷ୍ଟ ହୋଇଛି। ୮ମ ମାସ ହେଲା ରୁଷ ସେନା ୟୁକ୍ରେନ ସହ ଲଢ଼େଇ କରୁଥିଲେ ମଧ୍ୟ ଆଖିଦୃଶିଆ ବିଜୟ ହାସଲ କରିପାରି ନାହାନ୍ତି। ତେଣୁ ଏବେ ରୁଷ ନିଜର ସ୍ୱର ବଦଳାଇଥିବା କୁହାଯାଉଛି।

ମୁଖପାତ୍ର ପେସକୋଭ କହିଛନ୍ତି, “ନିର୍ଦ୍ଦେଶ ଓ ଲକ୍ଷ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଅପରେସନ ଜାରି ରହିବ। ତଥାପି ଆମେ ବାରମ୍ବାର କହି ଆସୁଛୁ ଯେ ଲକ୍ଷ୍ୟ ହାସଲ ପାଇଁ ବୁଝାମଣାର ଦ୍ୱାର ମଧ୍ୟ ଖୋଲା ରହିଛି।”

ପୂର୍ବରୁ ମଧ୍ୟ ରୁଷ ବୁଝାମଣା ସପକ୍ଷରେ ମତ ରଖିଥିବା ବେଳେ ଏବେ ପୁଣି ସମାନ କଥା କହିବା ଆଗକୁ ନୂଆ ବାଟ ଫିଟିବାର ସମ୍ଭାବନା ସୃଷ୍ଟି କରିଛି। ମଙ୍ଗଳବାର ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଥିଲେ ଯେ “ମସ୍କୋ ବିବାଦ ସମାଧାନ ପାଇଁ ପଶ୍ଚିମ ଦେଶଗୁଡ଼ିକ ସହ ଆଲୋଚନା କରିବାକୁ ରାଜି।” କିନ୍ତୁ ଆମେରିକା ଏହି ବୟାନକୁ ଖଣ୍ଡନ କରିଥିଲା। ଏହା କେବଳ ରୁଷ ପ୍ରଚାର ସର୍ବସ୍ୱ ବୟାନ ବୋଲି ୱାଶିଂଟନ କହିଥିଲା।

ଏହି ପ୍ରସଙ୍ଗକୁ ଗୁରୁବାର ପୁଣି ଲାଭରୋଭ ଫେରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, “ଆମେ କାହା ପଛରେ ଘୋଡ଼ାଇବୁ ନାହିଁ। ଯଦି କେହି ଗୁରୁତ୍ୱର ସହ ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତାବ ଦେବେ, ତା’ହେଲେ ଆମେ ଏହାକୁ ନିଶ୍ଚିତ ଭାବେ ବିଚାରକୁ ନେବୁ। ଆମେ ଯେତେବେଳେ ଏ ସମ୍ପର୍କରେ କିଛି ବି ସଙ୍କେତ ପାଇବୁ, ସେ ଦିଗରେ କାମ କରିବୁ।”

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କୌଣସି ପ୍ରକାରର ଆଲୋଚନା କରିବେ ନାହିଁ ବୋଲି କହିଛନ୍ତି। ରୁଷ ସରକାର ୟୁକ୍ରେନର ୪ଟି ପ୍ରଦେଶକୁ କଥିତ ଭାବେ ନିଜ ସହ ସାମିଲ କରିଥିବା ଦାବି କରିବା ଓ ରାଜଧାନୀ କିଭ୍‌ ସମେତ ଏକାଧିକ ସ୍ଥାନରେ ମିସାଲ ମାଡ଼ ହେବାରୁ ଜେଲେନସ୍କି ଏମିତି କଥା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।