ୟୁକ୍ରେନକୁ ଏୟାର ଡିଫେନ୍ସ ସିଷ୍ଟମ ଦେବ ଆମେରିକା

ୱାଶିଂଟନ୍‌: ପୁଣିଥରେ ୟୁକ୍ରେନ ସମର୍ଥନରେ ଠିଆ ହୋଇଛି ଆମେରିକା। ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧତ୍ରସ୍ତ ୟୁକ୍ରେନକୁ ସବୁ ପ୍ରକାରର ସହାୟତା ଦେବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କିଙ୍କୁ ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିଶ୍ରୁତି ଦେଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ ରୁଷ ଆକ୍ରମଣକୁ ପ୍ରତିରୋଧ ସହ ଜବାବ ଦେବାକୁ ୟୁକ୍ରେନକୁ ସୁରକ୍ଷା, ଆର୍ଥିକ ଏବଂ ମାନବୀୟ ସହାୟତା ପ୍ରଦାନ କରିବ ଆମେରିକା। ସେହିପରି ଆମେରିକା ଏବଂ ସହଯୋଗୀ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ମଧ୍ୟ ଜାରି ରଖିବେ।

ସୋମବାର ୟୁକ୍ରେନର ଏକାଧିକ ସହର ଉପରେ ଆକ୍ରମଣ କରିଥିଲା ରୁଷ। କୁହାଯାଉଛି, ରୁଷ ଉପରେ ୭୫ ଟି ମିସାଇଲ ମାଡ ହୋଇଛି। ଏଥିରେ ୟୁକ୍ରେନର ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିବା ସହ ମସ୍କୋ କ୍ରୁରତାର ସମସ୍ତ ସୀମା ଟପିଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି।

ସେପଟେ କ୍ରିମିଆ ବ୍ରିଜ୍ ଉପରେ ମିସାଇଲ୍ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇଛି। ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି ରୁଷ। ରାଷ୍ଟ୍ରପତି ପୁତିନ୍ ନୃଶଂସତାର ସୀମା ଟପିଯାଇଛନ୍ତି। ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚେତାବନୀ ଦେଇଛନ୍ତି ଜେଲେନସ୍କି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ରୁଷକୁ ଆତଙ୍କବାଦୀ ଦେଶ ଏବଂ ପୁତିନଙ୍କୁ ଜଣେ ପାଗଳ ଓ ଏକଛତ୍ରବାଦ ଶାସକ ବୋଲି ଆଖ୍ୟା ଦେଇଛି ୟୁକ୍ରେନ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।