ମଦ୍ରାସା ଓ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବ ଶ୍ରୀଲଙ୍କା

କଲୋମ୍ୱ: ଶ୍ରୀଲଙ୍କା ‘ବୁର୍ଖା’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ଖାଲି ଏତିକି ନୁହେଁ ହଜାରେରୁ ଅଧିକ ଇସଲାମିକ ସ୍କୁଲ୍ ବା ମଦ୍ରାସା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି ଏହି ସିଂହଳୀ ଦେଶ। ଶନିବାର ଶ୍ରୀଲଙ୍କାର ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ ପରେ ବୁର୍ଖା ଉପରେ ଶ୍ରୀଲଙ୍କା ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି।

ନିକଟରେ ଶ୍ରୀଲଙ୍କା ସରକାରର କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ‘ଜାତୀୟ ସୁରକ୍ଷା’ ଦସ୍ତଖତ ଆଧାରରେ ମୁସଲିମ ମହିଳାମାନେ ନିଜ ଚେହେରାକୁ ଘୋଡ଼େଇ ହେବା ପାଇଁ ପିନ୍ଧୁଥିବା ପୋଷାକ ବୁର୍ଖାକୁ ନିଷିଦ୍ଧ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ମନ୍ତ୍ରୀ ସାରଥ ଭେରାସେକେରା ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କାରେ ପୂର୍ବରୁ ମୁସଲମାନ ମହିଳା ଏବଂ ଝିଅମାନେ ବୁର୍ଖା ପିନ୍ଧୁନଥିଲେ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି। ଭେରାସେକେରା କହିଛନ୍ତି ଯେ ବୁର୍ଖା ପିନ୍ଧିବା ଧାର୍ମିକ ଉଗ୍ରବାଦର ଏବେ ଏକ ସଙ୍କେତ ପାଲଟିଛି। ବୁର୍ଖା ପିନ୍ଧି ଦେଶରେ ଅନେକ କିଛି ଅଘଟଣକୁ ସଫଳ କରାଯାଉଥିବାର ନଜିର ରହିଛି। ସରକାର ସମସ୍ତ ଘଟଣାକୁ ବିଚାର ବିମର୍ଷ କରିବା ପରେ ଏହି ପ୍ରତିବନ୍ଧକ ଲଗାଇଛନ୍ତି।

ଶ୍ରୀଲଙ୍କାରେ ଅଧିକାଂଶ ଜନସଂଖ୍ୟା ବୌଦ୍ଧ ଧର୍ମର। ୨୦୧୯ରେ ଶ୍ରୀଲଙ୍କାରେ ଚର୍ଚ୍ଚ ଏବଂ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ମାନେ ବୁର୍ଖା ପିନ୍ଧି ଏଭଳି ନରହତ୍ୟା କରିବାରେ ସଫଳ ହୋଇଥିଲେ। ସେତେବେଳେ ଏହି ନରହତ୍ୟାରେ ପାଖାପାଖି ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଭେରାସେକେରା ଇସଲାମିକ ସ୍କୁଲ ବନ୍ଦ ଉପରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଯେ ଦେଶରେ ଥିବା ହଜାରେରୁ ଅଧିକ ମଦ୍ରାସା ଇସଲାମିକ ସ୍କୁଲ୍ ଆଗାମୀ ଦିନରେ ବନ୍ଦ ହେବ। ଏହି ସ୍କୁଲ୍ ଜାତୀୟ ଶିକ୍ଷା ନୀତିକୁ ନଷ୍ଟ କରୁଛି। ଦେଶରେ ସମସ୍ତେ ସମାନ ପାଠ ପଢ଼ିବା ନେଇ ସରକାର ସୁନିଶ୍ଚିତ କରାଇବା ଏକ କର୍ତ୍ତବ୍ୟ।

ସୂଚନାଯୋଗ୍ୟ, କରୋନା ବେଳେ ଶ୍ରୀଲଙ୍କା ସରକାର କହିଥିଲେ ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କର ଦାହ ହେବା ଦରକାର। ହେଲେ ଏଭଳି କରିବା ମୁସଲମାନମାନଙ୍କ ଇଚ୍ଛା ବିରୁଦ୍ଧରେ ଥିଲା। ଯାହାକୁ ଶ୍ରୀଲଙ୍କାର ସଂଖ୍ୟା ଲଘୁ ବିରୋଧ କରିଥିଲେ। ଏମିତିକି ଏହି ମାମଲାରେ ଆମେରିକା ଏବଂ ଅନ୍ୟାନ୍ୟ ସଂସ୍ଥା ପ୍ରତିକ୍ରିୟା ରଖିଥିଲେ। ଏହାପରେ ଶ୍ରୀଲଙ୍କା ସରକାର ଦାହ ନିଷ୍ପତ୍ତି ଉପରେ ରୋକ୍ ଲଗାଇଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।