ଆଉ ଗୋଟିଏ କରୋନା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

ଜେନେଭା: ମହାମାରୋ କରୋନା ସଂକ୍ରମଣ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଆଉ ଗୋଟିଏ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ରେଜଲ୍ଟ ସକାରାତ୍ମକ ଥିବାରୁ ହୁ’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ହୁ’ ଏହା ପୂର୍ବରୁ ଫାଇଜର/ବାଓନଟେକ ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏକାଧିକ ରାଷ୍ଟ୍ରରେ ଆଷ୍ଟ୍ରାଜେନେକା ଓ ଫାଇଜର ଟିକାର ବ୍ୟବହାର ମଧ୍ୟ କରାଯାଉଛି। ଏବେ ତୃତୀୟ ଟିକା ଭାବେ ଜନସନ ଆଣ୍ଡ ଜନସନକୁ ହୁ’ର ସବୁଜ ସଙ୍କେତ ମିଳିଛି।

ହୁ’ର ଅନୁମୋଦନ ମିଳିଥିବାରୁ ଏଣିକି ଜନସନ ଆଣ୍ଡ ଜନସନର କରୋନା ଟିକାକୁ ସବୁ ଦେଶ, କୋଭାକ୍ସ ଓ ଇଏମଏ ଅଧୀନରେ ବ୍ୟବହାର କରାଯାଇ ପାରିବ। ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ପ୍ରତିଟି ନୂଆ, ପ୍ରଭାବ ଯୁକ୍ତ ଓ ସୁରକ୍ଷିତ ଅସ୍ତ୍ର ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସହାୟତ ହେବ। ଆମେ ଏହାକୁ ନିୟନ୍ତ୍ରଣ କରିବାକୁ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛୁ। କିନ୍ତୁ ସବୁ ଦେଶରେ ଯେଉଁ ପର୍ଯ୍ୟନ୍ତ ଏଭଳି ଅସ୍ତ୍ର ଉପଲବ୍ଧ ହେବନାହିଁ, ସେ ଯାଏ କିଛି ବି ଲାଭ ମିଳିପାରିବ ନାହିଁ। ହୁ’ର ପରାମର୍ଶଦାତା କମିଟି ହିଁ ଜନସନ ଆଣ୍ଡ ଜନସନଙ୍କୁ ପ୍ରଥମେ ଅନୁମୋଦନ ଦେବାକୁ ସୁପାରିସ କରିଥିଲା। ଏହାକୁ ନୀରିକ୍ଷଣ କରିବା ପରେ ହୁ’ ପକ୍ଷରୁ ଏହାକୁ ସବୁଜ ସଙ୍କେତ ଦିଆଯାଇଥିବା ସେ କହିଛନ୍ତି।

ହୁ’ର ବରିଷ୍ଠ ପରାମର୍ଶଦାତା ବ୍ରୁସ ଅୟଲୱାର୍ଡ କହିଛନ୍ତି, ଜନସନ ଆଣ୍ଡ ଜନସନ ପାଇଁ ଆଦୌ ଅଲଟ୍ରା କୋଲ୍ଡ ଚେନ୍‌ର ଆବଶ୍ୟକ ନାହିଁ। ଏପରି କି ଏହା କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ମଧ୍ୟ ସହାୟକ ହେବ। ଜିଏଭିଆଇ ଆଲିଆନ୍ସ ସହ ଏକାଠି ଚାଲିଥିବା କୋଭାକ୍ସ ଜନସନ ଆଣ୍ଡ ଜନସନ ଠାରୁ ୫୦୦ ନିୟୁତ ଡୋଜ୍‌ର ଟିକା ଆଣିବାକୁ ଚୁକ୍ତି କରିଥିବା ସେ କହିଛନ୍ତି।

ସେହିପରି କମ୍ପାନୀ କିଛି ଯେ ଆସନ୍ତା ବର୍ଷ ସୁଦ୍ଧା ସେମାନେ ଏହି ଟିକାର ୩୦୦ ବିଲିୟନ ଡୋଜ୍‌ ପ୍ରସ୍ତୁତ କରିସାରିଥିବେ। ଏହାପୂର୍ବରୁ ୨୦୨୧ ଶେଷ ସୁଦ୍ଧା ବ୍ୟବହାର ପାଇଁ ୧ ବିଲିୟନ ଡୋଜ୍‌ ଟିକା ଉପଲବ୍ଧ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।