ବେକ କାଟି ଦେବି ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ବାକ୍‌ଯୁଦ୍ଧ ଚରମ ସୀମାରେ ପହଞ୍ଚି ଯାଇଛି। ବିଶେଷ କରି ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଷ୍ଟେଜକୁ ଡାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଅପମାନିତ କରାଯାଇଥିବା ଅଭିଯୋଗ ପରେ ଏହି ବାକଯୁଦ୍ଧ ଆହୁରି ତୀବ୍ର ହୋଇଛି।

ଆଜି ମମତା ନେତାଜୀଙ୍କ ଜୟନ୍ତୀର ଅପମାନ ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିଜେପି ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ବେକ କାଟି ଦେବା ଭଲ। ସେହିପରି ନେତାଜୀ ଜୟନ୍ତୀ ଦିନ ସେଠାରେ ଉପସ୍ଥିତ ଥିବା ଲୋକମାନେ ଯାହା କଲେ, ତାହା ନେତାଜୀ ଓ ବେଙ୍ଗଲବାସୀଙ୍କ ଅପମାନ। ଯଦି ସେମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ସପକ୍ଷରେ ନାରା ଦେଇଥାଆନ୍ତେ, ତା’ହେଲେ ମୁଁ ସମସ୍ତଙ୍କୁ ପ୍ରଶଂସା କରିଥାଆନ୍ତି ବୋଲି ମମତା କହିଛନ୍ତି।

ଆଜି ହୁଗୁଳିରେ ଆୟୋଜିତ କାର୍ଯ୍ୟକ୍ରମରେ ମମତା କହିଛନ୍ତି, “ନେତାଜୀ ଜୟନ୍ତୀ ପାଇଁ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୋତେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଯଦି ସେମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ସପକ୍ଷରେ ନାରା ଦେଇଥାଆନ୍ତେ, ତା’ହେଲେ ମୁଁ ସମସ୍ତଙ୍କୁ ପ୍ରଶଂସା କରିଥାଆନ୍ତି। କିନ୍ତୁ ସେମାନେ ଯଦି ମୋତେ ଗନ ପଏଣ୍ଟରେ ରଖିବେ, ତା’ହେଲେ ଏହାର ଜବାବ ଦେବା ମଧ୍ୟ ମୋତେ ଭଲ ଭାବେ ଜଣା। ସେଦିନ ଦର୍ଶକମାନେ ଯାହା କଲେ, ତାହା ବେଙ୍ଗଲ ପାଇଁ ଅପମାନ।”ନେତାଜୀଙ୍କ ୧୨୫ତମ ଜନ୍ମ ଦିନ ଉପଲକ୍ଷେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇଥିଲେ।

ହେଲେ କାର୍ଯ୍ୟକ୍ରମରେ ମମତା ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋଦି ମୋଦି ନାରା ଦେଇଥିଲେ। ସେହିପରି ଜୟ ଶ୍ରୀରାମ ନାରା ମଧ୍ୟ ଶୁଣିବାକୁ ମିଳିଥିଲା। ଏହାକୁ ବିରୋଧ କରି ମମତା ସେଦିନ ଭାଷଣ ନ ଦେଇ ଷ୍ଟେଜରୁ ଓହ୍ଲାଇ ପଡ଼ିଥିଲେ।

ଅନ୍ୟପକ୍ଷରେ ଏକାଧିକ ଟିଏମସି ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ମମତା କହିଛନ୍ତି, ତୃଣମୂଳ କେବଳ ଲୋକଙ୍କ ପାଇଁ କାମ କରୁଥିବା ନେତାଙ୍କୁ ଏଥର ଟିକେଟ ଦେବ। ଯେଉଁମାନେ ଦୁର୍ନୀତି କରିଛନ୍ତି, ସେମାନଙ୍କୁ ଦଳ ଟିକେଟ ଦେବନାହିଁ। ସେଭଳି କିଛି ଦୁର୍ନୀତି ଗ୍ରସ୍ତ ଲୋକ ଟିକେଟ ନ ପାଇବା ଆଶଙ୍କାରେ ବିଜେପିରେ ମିଶିବା ଆରମ୍ଭ କରିଛନ୍ତି।

ଆଗକୁ ଯଦି କେହି ଏପରି କାମ କରିବା ପାଇଁ ଧାଡ଼ିରେ ଅଛନ୍ତି, ତା’ହେଲେ ସେମାନେ ଯଥାଶୀଘ୍ର ଦଳ ଛାଡ଼ି ଦିଅନ୍ତୁ। ଟିଏମସି କେବେ ହେଲେ ଦଳ ଛାଡ଼ିଥିବା ଲୋକଙ୍କୁ ଆଉ ଗ୍ରହଣ କରିବ ନାହିଁ। କଳା ଧନକୁ ଧଳା କରିବା ପାଇଁ କିଛି ନେତା ବିଜେପି ନାମକ ୱାଶିଂ ପାଉଡରର ବ୍ୟବହାର କରିବାକୁ ଯାଇଛନ୍ତି। ସେମାନେ ଟିଏମସି ଛାଡ଼ି ଭଲ କରିଛନ୍ତି ବୋଲି ମମତା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।