ବହୁମତ ହାସଲ ପାଇଁ ୟେଦୁରପ୍ପାଙ୍କ ପାଖରେ ରହିଛି ଏହି ୪ଟି ବିକଳ୍ପ!

ବେଙ୍ଗାଲୁରୁ: ଚର୍ଚ୍ଚାରେ କର୍ଣ୍ଣାଟକ ନିର୍ବାଚନ। ବି.ଏସ୍. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ହେଁ, ତାଙ୍କ ଗାଦି ରହିବ କି ନାହିଁ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସେ ତାଙ୍କ ସରକାର ପଛରେ ବହୁମତ ଅଛି ବୋଲି ପ୍ରମାଣ କରିବେ। କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନରୁ ୨୨୨ ବିଧାନସଭା ଆସନ ପାଇଁ ନିର୍ବାଚନ ହେଲା। ମ୍ୟାଜିକ୍‌ ନମ୍ବର ଥିଲା ୧୧୨। କିନ୍ତୁ କୌଣସି ଦଳ ଏହି ମ୍ୟାଜିକ୍‌ ନମ୍ବର […]

dc-Cover-hendkb8kfk825ohfrm6rfe4761-20180210065319.Medi

dc-Cover-hendkb8kfk825ohfrm6rfe4761-20180210065319.Medi

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 03:21 PM IST

Sports

Latest News

ବେଙ୍ଗାଲୁରୁ: ଚର୍ଚ୍ଚାରେ କର୍ଣ୍ଣାଟକ ନିର୍ବାଚନ। ବି.ଏସ୍. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ହେଁ, ତାଙ୍କ ଗାଦି ରହିବ କି ନାହିଁ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସେ ତାଙ୍କ ସରକାର ପଛରେ ବହୁମତ ଅଛି ବୋଲି ପ୍ରମାଣ କରିବେ।

କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନରୁ ୨୨୨ ବିଧାନସଭା ଆସନ ପାଇଁ ନିର୍ବାଚନ ହେଲା। ମ୍ୟାଜିକ୍‌ ନମ୍ବର ଥିଲା ୧୧୨। କିନ୍ତୁ କୌଣସି ଦଳ ଏହି ମ୍ୟାଜିକ୍‌ ନମ୍ବର ହାସଲ କରିପାରି ନାହାଁନ୍ତି। ରାଜ୍ୟବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ଦେଇନାହାଁନ୍ତି। ନିର୍ବାଚନରେ ବିଜେପି ୧୦୮, କଂଗ୍ରେସ ୭୮ ଏବଂ ଆଞ୍ଚଳିକ ଦଳ ଜେଡିଏସ୍‌ ୩୮ଟି ଆସନ ହାତେଇଛି। କିନ୍ତୁ ସର୍ବାଧିକ ଆସନ ପାଇଥିବା ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଏକାଠି ହୋଇଛନ୍ତି ଦୁଇ ରାଜନୈତିକ ଦଳ କଂଗ୍ରେସ ଏବଂ ଜେଡିଏସ୍‌। ଏମାନେ ନିର୍ବାଚନ ଫଳାଫଳ ଆସିବା ପରେ ମେଣ୍ଟ କରିଛନ୍ତି। ଜେଡିଏସ୍‌ ସରକାର ଗଢ଼ିଲେ କଂଗ୍ରେସ ତାକୁ ନିଃସର୍ତ୍ତରେ ସମର୍ଥନ ଦେବାକୁ କହିଛି। କଂଗ୍ରେସ ଓ ଜେଡିଏସ୍‌ ସରକାର ଗଢ଼ିବାକୁ ସୁଯୋଗ ପାଇବେ ନା ନାହିଁ ତାହା ଆଜିର ଅସ୍ଥା ଭୋଟ୍‌ ପରେ ସ୍ପଷ୍ଟ ହୋଇଯିବ।

ବିଜେପି ପାଖରେ ୧୦୪ ବିଧାୟକ ଥିବାବେଳେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଆଉ ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି। ତେବେ ଏ ସମୟରେ ନିଜ ଗାଦି ବଞ୍ଚାଇବା ପାଇଁ ୟେଦୁରପ୍ପାଙ୍କ ପାଖରେ ଏହି ୪ଟି ବିକଳ୍ପ ରହିଛି।

ପ୍ରଥମ ବିକଳ୍ପ: ଯଦି ବିଜେପି କଥାରେ କଂଗ୍ରେସ ଓ ଜେଡିଏସ୍‌ର ୧୪ ଜଣ ବିଧାୟକ ଇସ୍ତଫା ଦେଇ ଦେବେ, ତେବେ ଗୃହରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୨୧ରୁ ୨୦୭କୁ ଖସି ଆସିବ। ଯାହା ଫଳରେ ବିଜେପି ସହଜରେ ମ୍ୟାଜିକ୍ ନମ୍ବର ଦେଖାଇ ପାରିବ।

ଦ୍ୱିତୀୟ ବିକଳ୍ପ: ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ମଧ୍ୟ ଲିଙ୍ଗାୟତ ସଂପ୍ରଦାୟର ହୋଇଥିବାରୁ, କଂଗ୍ରେସ ଓ ଜେଡିଏସ୍‌ରେ ଥିବା ତାଙ୍କରି ସଂପ୍ରଦାୟର ବିଧାୟକଙ୍କୁ ମନେଇବାରେ ଯଦି ସଫଳ ହେବେ, ତେବେ ବିଜେପି ପାଇଁ ସହଜ ହୋଇଯାଇ ପାରେ।

ତୃତୀୟ ବିକଳ୍ପ: ଯଦି ବିଜେପି ଦ୍ୱାରା ପ୍ରରୋଚିତ ହୋଇ ଜେଡିଏସ୍‌ ଓ କଂଗ୍ରେସର କିଛି ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ରହନ୍ତି, ତେବେ ଫ୍ଲୋର୍‌ରେ ମୋଟ ବିଧାୟକଙ୍କ ସଂଖ୍ୟା କମିଯିବ ଏବଂ ବିଜେପି ମ୍ୟାଜିକ୍‌ ନମ୍ବର ସହଜରେ ପାଇଯିବ।

ଚତୁର୍ଥ ବିକଳ୍ପ: କଂଗ୍ରେସ ଓ ଜେଡିଏସ୍‌ ନିକଟରେ ଥିବା ମୋଟ ବିଧାୟକଙ୍କର ଦୁଇ ତୃତୀୟାଂଶ ବିଧାୟକଙ୍କୁ ଅଲଗା କରିବାରେ ସଫଳ ହେଲେ, ଆସ୍ଥାଭୋଟରେ ୟେଦୁରପ୍ପା ବିଜୟୀ ହୋଇପାରିବେ। ଏଥିପାଇଁ କଂଗ୍ରେସର ୫୪ ଓ ଜେଡିଏସର ୨୬ ଜଣ ବିଧାୟକଙ୍କୁ ମନାଇବାକୁ ହେବ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସୁପ୍ରିମ୍‌କୋର୍ଟ ରାଜ୍ୟପାଳ ବାଜୁଭାଇ ଭାଲାଙ୍କ ତରଫରୁ ୟେଦୁରପ୍ପା ସରକାରକୁ ବହୁମତ ପ୍ରମାଣ କରିବାକୁ ଦେଇଥିବା ୧୫ ଦିନ ସମୟକୁ କମେଇ ଦେଇଥିଲେ। ଆଜି ୪ଟା ସୁଦ୍ଧା ଗୃହରେ ବହୁମତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos