ଅଭିଯୁକ୍ତଙ୍କୁ ଭେଟିବା ପ୍ରସଙ୍ଗ; ରଂଜିତ ସିହ୍ନାଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଡୁଆରେ ପଡ଼ି ଯାଇଛନ୍ତି ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଂଜିତ ସିହ୍ନା। କୋଲବ୍ଲକ୍ ଦୁର୍ନୀତି ମାମଲାର ଅଭିଯୁକ୍ତମାନଙ୍କୁ ସେ ସୁରକ୍ଷା ଦେଇଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ଗୁରୁବାର ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର କହିଥିଲେ ଯେ ସିହ୍ନା ଏକାଧିକ ଅଭିଯୁକ୍ତଙ୍କୁ ଏକାଧିକବାର ଭେଟିଥିଲେ। ତାହା ପୁଣି ଘଟଣାର ତଦନ୍ତ ସମୟରେ। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଥିବା ବେଳେ ସିହ୍ନା ସେମାନଙ୍କୁ ଭେଟିବା ଆଦୌ ଠିକ୍ ହୋଇନାହିଁ। ଏହାର ତଦନ୍ତ କରାଯିବା ଆବଶ୍ୟକ। ଏହା ସହିତ ଏହି ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କିପରି ତଦନ୍ତ କରାଯିବା ସେ ନେଇ ପରାମର୍ଶ ଦେବାକୁ କୋର୍ଟ ସିଭିସିଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରଞ୍ଜିତ ସିହ୍ନା କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରି ଦେଇଛନ୍ତି। ପ୍ରଶାନ୍ତ ଭୂଷଣ ମିଛ ସାକ୍ଷୀ ଉପସ୍ଥାପନ କରୁଥିବା ନେଇ ସେ ଅଭିଯୋଗ କରିଥିଲେ।

ରଞ୍ଜିତ ସିହ୍ନା କୋଲ୍ ବ୍ଲକ୍ ଦୁର୍ନୀତି ଘଟଣାର ଅଭିଯୁକ୍ତମାନଙ୍କୁ ଭେଟିଥିବା ନେଇ ଏକ ଏନଜିଓ ତରଫରୁ ପ୍ରଶାନ୍ତ ଭୂଷଣ ତାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଏନଜିଓ ପକ୍ଷରୁ କୁହାଯାଇଛି ଯେ ସିହ୍ନା ସିବିଆଇ ନିର୍ଦ୍ଦେଶକ ଥିବା ବେଳେ ତାଙ୍କ ବାସଭବନର ଫାଟକରେ ରହୁଥିବା ଭିଭିଟର୍ ରେଜିଷ୍ଟରରେ ଅଭିଯୁକ୍ତମାନଙ୍କ ନାମ ସ୍ୱାକ୍ଷର ସହିତ ମହଜୁଦ ରହିଛି। ସେଥିରୁ ପ୍ରମାଣିତ ହେଉଛି ଯେ ସେ ଅଭିଯୁକ୍ତମାନଙ୍କୁ ଭେଟି ଥିଲେ।