ଅମୀର ଗଲେ ଆମେରିକା

ମୁମ୍ବାଇ: ‘ଅସହିଷ୍ଣୁତା’ ପ୍ରସଙ୍ଗରେ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିବା ବଲିଉଡ୍ ଅଭିନେତା ଅମୀର ଖାନ୍ ଆମେରିକା ଚାଲି ଯାଇଛନ୍ତି। ସେ ତାଙ୍କ ପୁଅକୁ ଭେଟିବା ପାଇଁ ଆମେରିକା ଯାଇଥିବା କୁହାଯାଇଛି।

ପଂଜାବର ଲୁଧିଆନାରେ ନିଜର ଆଗାମୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅମୀର ଗୁରୁବାର ସେଠାରୁ ମୁମ୍ବାଇ ଫେରିଥିଲେ। ମୁମ୍ବାଇ ଫେରିବା ପରେ ସେ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ। ଆମେରିକାର ଲସ୍ ଏଞ୍ଜେଲସରେ ଅମୀରଙ୍କ ପୁଅ ଜୁନୈଦ ରହୁଛନ୍ତି। ତାଙ୍କୁ ଭେଟିବାକୁ ସେ ସେଠାକୁ ଯାଇଥିବା କୁହାଯାଉଛି। ଅମୀରଙ୍କ ଆମେରିକା ସହିତ ‘ଅସହିଷ୍ଣୁତା’ ସଂପର୍କିତ ବିବାଦର କିଛି ସଂପର୍କ ନାହିଁ ବୋଲି ତାଙ୍କର ନିକଟତମ ସୂତ୍ରରୁ କୁହାଯାଇଛି। ତାଙ୍କର ଆମେରିକା ଗସ୍ତ ପୂର୍ବ ନିର୍ଦ୍ଧାରିତ ଥିଲା।

ଅମୀର କହିଥିଲେ ଯେ ଦେଶରେ ‘ଅସହିଷ୍ଣୁତା’ ବଢ଼ିଛି। ଏନେଇ ତାଙ୍କ ସ୍ତ୍ରୀ କିରଣ ବହୁତ ଚିନ୍ତିତ ଅଛନ୍ତି ଏବଂ ସେ ଦେଶ ଛାଡ଼ି ଯିବାକୁ ବି ବିଚାର କରୁଛନ୍ତି। ତେବେ ତାଙ୍କର ଏହି ମନ୍ତବ୍ୟକୁ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭଳି କିଛି ବ୍ୟକ୍ତି ତାଙ୍କୁ ସମର୍ଥନ କରିଥିଲେ ହେଁ ଅଧିକ ବିରୋଧ ହୋଇଥିଲା। ଫଳରେ ଅମୀର ଏନେଇ ସ୍ପଷ୍ଟୀକରଣ ଦେବାକୁ ଯାଇ କହିଥିଲେ ଯେ ସେ ଭାରତ ଛାଡ଼ି ଯିବା କଥା କହି ନାହାନ୍ତି। ତାଙ୍କ ମନ୍ତବ୍ୟର ଭୁଲ୍ ଅର୍ଥ କଢ଼ା ଯାଇଛି। ସେ ଜଣେ ଭାରତୀୟ ଓ ଭାରତ ଛାଡ଼ିବା ନେଇ ତାଙ୍କର କିମ୍ବା ତାଙ୍କ ପତ୍ନୀଙ୍କର କୌଣସି ଅଭିପ୍ରାୟ ନାହିଁ।