ଅସଦାଚରଣ ଅଭିଯୋଗ ଆଣିବାରୁ ସ୍କୁଲରୁ ନିଲମ୍ବିତ ହେଲେ ପୀଡ଼ିତା

ଲକ୍ଷ୍ନୌ: ଅସଦାଚରଣ ଅଭିଯୋଗ ଆଣିଲେ ବୋଲି ଏକ ସରକାରୀ ସ୍କୁଲ୍‌ର ଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାରଣ କରିବା ସହିତ ନିଲମ୍ବନ କରିଛନ୍ତି ସରକାରୀ ସ୍କୁଲର ପ୍ରଧାନଶିକ୍ଷକ। କାରଣ ଦର୍ଶାଇଛନ୍ତି ଏଭଳି ବିଶୃଙ୍ଖଳିତ ପିଲାପାଇଁ ଆମ ସ୍କୁଲର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରସିଦ୍ଧ ବୌଦ୍ଧ ତୀର୍ଥସ୍ଥଳ କୁଶିନଗରରେ।

ମିଳିଥିବା ସୂଚନା ଅନୁଯାୟୀ, ଏକାଦଶ ଶ୍ରେଣୀର ଛାତ୍ରୀ ଜଣକ ଅସଦାଚରଣର ଶିକାର ହୋଇଥିବାନେଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଜଣାଇଥିଲେ, ଏହା ସ୍କୁଲ ହତା ବାହାରେ ଘଟିଛି ତେଣୁ ସେମାନଙ୍କ ଦାୟିତ୍ୱ ବାହାରେ।

ଏହି ନାବାଳିକା ହିଁ ସୂଚନା ଦେଇଥିଲେ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ଅଭିଯୋଗରେ ସ୍କୁଲ ପକ୍ଷରୁ ଏପରି ପ୍ରତିକ୍ରିୟା ପ୍ରକାଶ କରାଯିବାରୁ ସେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।

ପ୍ରାର୍ଥନା ସମୟରେ ହିଁ ସମସ୍ତଙ୍କ ସାମ୍ନାରେ ପ୍ରଧାନଶିକ୍ଷକଜଣକ ଘୋଷଣା କରିଥିଲେ, ଏପରି ସ୍କୁଲକୁ ଛାତ୍ରୀ ଦରକାର ନାହିଁ ଯେକି ସ୍କୁଲ୍‌ର ଭାବମୂର୍ତ୍ତି ନଷ୍ଟ କରୁଥିବ। ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ପୁଲିସ୍‌ ନିଜର କର୍ତ୍ତବ୍ୟ ନିଭାଇବା ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ନେଇ ପ୍ରଶାସନ ଦୃଷ୍ଟି ରଖିବ।