ଆଜି ରାତିରେ ରାହୁଲ ଫେରିବେ!

ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସର ଲମ୍ବା ଛୁଟି ପରେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ବୁଧବାର ରାତିରେ ଆସି ନୂଆଦିଲ୍ଲୀରେ ପହଂଚିବେ ବୋଲି ଜଣାପଡ଼ିଛି । ଫେବୃଆରୀ ୨୩ରେ ସଂସଦର ବହୁଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଆରମ୍ଭ ହେବା ବେଳଠାରୁ ହିଁ ସେ ଛୁଟିରେ ଚାଲିଯାଇଥିଲେ । କଂଗ୍ରେସର ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ମାନସମନ୍ଥନ କରିବାକୁ ସେ ଛୁଟିରେ ଯାଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ଗତ ଲୋକସଭା ନିର୍ବାଚନ ଓ ପରେ ପରେ ମହାରାଷ୍ଟ୍ର, ହରିଆଣା, ଓ ଦିଲ୍ଲୀ ଆଦି ବିଧାନସଭା ନିର୍ବାଚନରେ କଂଗ୍ରେସ ଏକପ୍ରକାର ଧୂଳିସାତ୍ ହୋଇଯାଇଥିଲା । ତେଣୁ ଦଳ ପାଇଁ ନୂତନ ରଣକୌଶଳ ପ୍ରସ୍ତୁତ କରିବାକୁ ତାଙ୍କୁ ଟିକେ ସମୟ ଦରକାର ବୋଲି ସେ ଅନୁରୋଧ କରିଥିଲେ । ଅନ୍ୟପଟେ ସେ ଛୁଟିରେ କେଉଁ ସ୍ଥାନକୁ ଯାଇଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ । କୌଣସି କଂଗ୍ରେସ ନେତା ବି ଏ ସଂପର୍କରେ କିଛି କହି ପାରୁନାହାନ୍ତି । ତେବେ ବହୁ ଦିନ ଧରି ଏଭଳି ଅନ୍ତର୍ଦ୍ଧାନ ହୋଇଯିବା ଯୋଗୁ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଆମେଥିର ଲୋକେ ପୂରା ଖପ୍ପା ହୋଇଯାଇଛନ୍ତି । ଏପରିକି ସେମାନେ ରାହୁଲ ନିଖୋଜ ହେବା ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର୍ ମଧ୍ୟ ଲଗାଇଥିଲେ । ତା’ପରେ ଖୋଦ୍ ସୋନିଆ ଗାନ୍ଧୀ ଯାଇ ପହଂଚିଥିଲେ ଆମେଥିରେ ଓ ଲୋକଙ୍କୁ ଭରସା ଦେଇଥିଲେ ଯେ ଖୁବଶୀଘ୍ର ରାହୁଲ ଫେରିଆସିବେ।

ରାହୁଲ ଆଜି ଫେରୁଥିବା ନେଇ ଖବର ପ୍ରଚାରିତ ହୋଇଥିବା ବେଳେ ମଙ୍ଗଳବାର କଂଗ୍ରେସର ଦୁଇ ବରିଷ୍ଠ ନେତା ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ଶୀଲା ଦୀକ୍ଷିତ କହିଥିଲେ ଯେ ବର୍ତମାନ ପରିସ୍ଥିତିରେ କଂଗ୍ରେସକୁ ଉଠାଇବାକୁ ସୋନିଆ ଗାନ୍ଧୀ ହିଁ ଦାୟିତ୍ୱ ନେବା ଉଚିତ୍ । ସେ ତାଙ୍କ ଦାୟିତ୍ୱରୁ ଦୂରେଇ ଯାଇ ପାରିବେ ନାହିଁ । ରାହୁଲଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଉଠୁଛି । ସେ ଏପର୍ଯ୍ୟନ୍ତ କିଛି କରି ଦେଖାଇ ପାରି ନାହାନ୍ତି । ଅବଶ୍ୟ ପରେ ଶୀଲା ନିଜ ମନ୍ତବ୍ୟ ଉପରେ ୟୁ-ଟର୍ଣ୍ଣ ମାରିଥିଲେ । ସେହିପରି ଦିଗବିଜୟ ସିଂହ କହିଥିଲେ ଯେ ରାହୁଲଙ୍କ ଛୁଟି ନେବାର ସମୟ ଠିକ୍ ନୁହେଁ ।

ରାହୁଲ ଆଜି ଫେରିବା ପରେ ଏପ୍ରିଲ ୧୯ ତାରିଖରେ କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀରେ କରାଯାଉଥିବା ମେଗା କୃଷକ ରାଲିରେ ଯୋଗ ଦେବେ । ଏଥିରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ପୁଣି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଏହି କୃଷକ ରାଲି ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କାରଣ ଦଳ ଜମି ଅଧିଗ୍ରହଣ ବିଲକୁ ବିରୋଧ କରି ଆସୁଛି ଓ ଏହାକୁ ରାଜ୍ୟସଭାରେ ପାସ୍ ନକରାଇ ଦେବା ଲାଗି ଅଣ୍ଟା ଭିଡିଛି ।