ଆତଙ୍କବାଦୀ ସଂଗଠନ ଆଇଏସ୍ ଜାରି କଲା ସୁନା କଏନ୍

ବାଗଦାଦ: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍ ଜାରି କରିଛି ସୁନା କଏନ୍ ବା ସୁନା ମୁଦ୍ରା। ପୂର୍ବରୁ ଆଲୋଚନା ହେଉଥିଲା ଯେ ବର୍ତ୍ତମାନ ବିଶ୍ୱର ସବୁଠାରୁ ଧନୀ ଆତଙ୍କବାଦୀ ସଂଗଠନ ଆଇଏସ୍ ସୁନା ଓ ରୂପ ମୁଦ୍ରା ପ୍ରଚଳନ କରିବ। ତେବେ ଏବେ  କିଛି ମୁଦ୍ରାର ଚିତ୍ର ସାମ୍ନାକୁ ଆସିଛି। କୁହାଯାଉଛି ଏଗୁଡ଼ିକ ହେଉଛି ଆଇଏସ ଦ୍ୱାରା ପ୍ରସ୍ତୁତ ହୋଇଥିବା ସୁନା ମୁଦ୍ରା। ଆହୁରି ମଧ୍ୟ କୁହାଯାଉଛି ଯେ ଇରାକ ଓ ସିରିଆର ଯେଉଁ ଅଞ୍ଚଳଗୁଡ଼ିକ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ଆଇଏସର ଅକ୍ତିଆରରେ ଅଛି ସେଠାରେ ଏହି ମୁଦ୍ରା ପ୍ରଚଳନ ହୋଇଗଲାଣି। ସାମ୍ୱାଦିକ ଜୈଦ‌ ବୈଜାମିନଙ୍କ ଟ୍ୱିଟରରେ ଏହି ମୁଦ୍ରା ଗୁଡ଼ିକର ୪ଟି ଚିତ୍ର ସେୟାର କରାଯାଇଛି। ସୁନାରେ ତିଆରି ଏହି ମୁଦ୍ରା ଗୁଡ଼ିକ ଉପରେ ଗହମ ଓ ବାର୍ଲି ଆଦିର ଚିତ୍ର ରହିଛି। ପୁଣି ଏଗୁଡ଼ିକରେ ଆରବୀ ଭାଷାରେ କିଛି ଲେଖାଯାଇଛି। କିଛି ଦେଶର ମାନଚିତ୍ର ବି ରହିଛି।