ଆରବିଆଇ ଗଭର୍ଣ୍ଣରଙ୍କୁ ଆଇଏସର ହତ୍ୟା ଧମକ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ବା ଆଇଏସ୍। ରଘୁରାମ ରାଜନ ଇ-ମେଲ୍ ଯୋଗେ ପାଇଛନ୍ତି ଏହି ଧମକ। ଚଳିତ ମାସ ପ୍ରାରମ୍ଭରେ ତାଙ୍କ ପାଖକୁ ଆସିଥିଲା ଏହି ଧମକପୂର୍ଣ୍ଣ ମେଲ୍। ଯେହେତୁ ମେଲ୍ ଆସିଥିବା ଆଇଡିରେ ଆଇଏସଆଇଏସ୍ ଲେଖାଅଛି ତେଣୁ ମୁମ୍ବାଇ ପୁଲିସ୍ ଏହାକୁ ଗମ୍ଭୀରତାର ସହିତ ନେଇଛି।

ଏହି ଧମକପୂର୍ଣ୍ଣ ମେଲ୍ କରିଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, ‘ତୁମକୁ ହତ୍ୟା କରିବା ପାଇଁ ମୋତେ କେହି ଟଙ୍କା ଦେଇଛି। ଯଦି ତୁମେ ତା’ଠାରୁ ଅଧିକ ଟଙ୍କା ଦେବେ ତା’ହେଲେ ଆମେ ତା’ଉପରେ ବିଚାର କରିବୁ।’

ମୁମ୍ବାଇ ପୁଲିସ୍ କମିଶନର୍ ରାକେଶ ମାରିଆ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣରଙ୍କୁ ଧମକପୂର୍ଣ୍ଣ ଇ-ମେଲ ନେଇ ପୁଲିସ ଅଭିଯୋଗ ପାଇଛି । ଉକ୍ତ ଇ-ମେଲରେ ଆଇଏସଆଇଏସର ନାଁ ରହିଛି। ଆମେ ଏହାକୁ ହାଲକା ଭାବେ ନେଉ ନାହୁଁ। ଏହି ଇ-ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

ସୂଚନାମିଳିଛି ରାଜନଙ୍କ ପାଖକୁ ଯେଉଁ ଇ-ମେଲ ଆସିଛି ତା’ର ଆଇଡି ସଂପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ମୁମ୍ବାଇ ପୁଲିସ୍ ଆମେରିକାର ଗୁଗଲ ଇଙ୍କକୁ ଅନୁରୋଧ କରିଛି। ଏହି ଇ-ମେଲ ଭାରତ ବାହାରୁ ଆସିଛି ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ତେବେ ରହସ୍ୟଜନକ ଭାବେ ଏହି ଇ-ମେଲ୍ ଆଇଡିକୁ ଅଷ୍ଟ୍ରେଲିଆ, ଇଟାଲୀ, ଆମେରିକା, କାନାଡ଼ା, ନାଇଜେରିଆ, ପୋଲାଣ୍ଡ୍, ବେଲଜିୟମ, ଜମୟାନୀ, ହଂ କଂ ଓ ୟୁକ୍ରେନ୍ ଭଳି ୧୦ଟି ଦେଶରୁ ବ୍ୟବହାର କରାଯାଇଛି। ମୁମ୍ବାଇ ପୁଲିସ୍ ଆଶଙ୍କା କରୁଛି ଯେ ଏହା ଏକ ମିଛ ଇ-ମେଲ୍ ଆଇଡି ହୋଇପାରିଥାଏ। କେହି ବ୍ୟକ୍ତି ଏହି ମିଛ ଇ-ମେଲ୍ ଆଇଡି ବ୍ୟବହାର କରି ରାଜନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥାଇପାରେ।