କୀର୍ତ୍ତିରାଜି ଉପରେ ଚଢ଼ି ଭୁଟାନରେ ଭାରତୀୟ ପର୍ଯ୍ୟଟକ ଅଟକ

ନୂଆଦିଲ୍ଲୀ: ଭୁଟାନର ଦୋଲୁଚାଠାରେ ଥିବା ପ୍ରସିଦ୍ଧ ‘ଚୋର୍ଟେନ୍‌’ କୀର୍ତ୍ତିରାଜି ଉପରେ ଚଢ଼ି ଫଟୋ ଉଠାଇବା ଜଣେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଶୁକ୍ରବାର ଏହାକୁ ନେଇ ଅନେକ ବିବାଦ ହେବାପରେ ଭୁଟାନ୍‌ ରୟାଲ ପୁଲିସ୍‌ ତାଙ୍କୁ ଅଟକ କରିଛି। ସୂଚନାଯୋଗ୍ୟ ଯେ, ‘ଚୋର୍ଟେନ୍‌’ର ବୌଦ୍ଧ ଧର୍ମରେ ବହୁତ ଗୁରୁତ୍ୱ ରହିଛି। ଏହା ବୁଦ୍ଧଙ୍କ ପ୍ରତି ଉତ୍ସର୍ଗୀକୃତ।

ଅଭିଜିତ ରତନ୍‌ ହଜାରେ ନାମକ ଏହି ପର୍ଯ୍ୟଟକ ଜଣକ ମହାରାଷ୍ଟ୍ରରୁ ଏକ ୧୫ ଜଣିଆ ବାଇକ୍‌ ଆରୋହୀ ଦଳରେ ବୁଲିବାକୁ ଆସିଥିଲେ। ଜଣେ ଭୁଟାନ୍‌ ନାଗରିକ ତାଙ୍କର ନେତୃତ୍ୱ ନେଉଥିଲେ। ତେବେ ସେମାନେ ଗାଡ଼ି ପାର୍କିଂ କରିବା ପାଇଁ ଅଟକିଥିବା ସମୟରେ ହଜରେ ଏଭଳି କାମ କରିଥିଲେ। ତେବେ ଅଭିଜିତଙ୍କ ଏଭଳି କାଣ୍ଡ ପାଇଁ ତାଙ୍କ ପାସ୍‌ପୋର୍ଟ ଜବତ କରିଛି ଭୁଟାନ୍‌ ରୟାଲ ପୁଲିସ୍‌। ତଦନ୍ତ ସରିବା ଯାଏ ସେ ତାଙ୍କ ହୋଟେଲରେ ରହିବେ।

ହଜାରେ ଏହି କୀର୍ତ୍ତିରାଜି ଉପରେ ଚଢ଼ିବା ପାଇଁ ଜଣେ ଭୁଟାନ୍‌ ନାଗରିକ ତାଙ୍କୁ ସହାୟତା କରିଥିଲେ। ସେ ମଧ୍ୟ ଫଟୋ ପାଇଁ ପୋଜ୍‌ ଦେଇଥିଲେ। ପୁଲିସ୍‌ ଏବେ ତାଙ୍କୁ ମଧ୍ୟ ଖୋଜୁଛି।