ଚିଦାମ୍ବରମଙ୍କ ବ୍ୟକ୍ତିଗତ ସଚିବଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିବା ଇଡି ଆଜି ଚିଦାଙ୍କ ବ୍ୟକ୍ତିଗତ ସଚିବ କେଭିକେ ପେରୁମାଲଙ୍କୁ ହାଜର ପାଇଁ ସମନ କରିଛି। ତାଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପଚରାଉଚରା କରାଯିବାର ଥିବାରୁ ଏଭଳି ସମନ ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ଇଡି ଦ୍ୱାରା ଦୁଇଥର ଜେରାର ସମ୍ମୁଖୀନ ହୋଇଥିବା ପେରୁମାଲଙ୍କୁ ସେପ୍ଟେମ୍ବର ୧୮ରେ ହାଜର ହେବାକୁ କୁହାଯାଇଛି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପେରୁମାଲଙ୍କ ପାଖରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଇଡି ସନ୍ଦେହ କରୁଛି। କାଳେ ତାଙ୍କ ପାଖରୁ ମିଳିବାକୁ ଥିବା ତଥ୍ୟ ତଦନ୍ତରେ ସହାୟକ ହେବ, ସେଥିପାଇଁ ତାଙ୍କୁ ସମନ କରାଯାଇଥିବା ଇଡି ସୂତ୍ରରୁ ଜଣାପଡ଼ିଛି।

ଚିଦାମ୍ବରମ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ନିଜ ପଦବୀର ଅପବ୍ୟବହାର କରି ଆଇଏନଏକ୍ସ ମିଡିଆରେ ୩୦୦ କୋଟିର ବିଦେଶୀ ପୁଞ୍ଜି ବିନିଯୋଗ କରିବାକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ବ୍ୟାପକ ଲାଞ୍ଚକାରବାର ହୋଇଥିବାରୁ ସିବିଆଇ ଚିଦାଙ୍କୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।