ଜ୍ୟୋତିଷଙ୍କଠାରେ ହାତ ଦେଖାଇଥିଲେ ମୋଦି

ଇନ୍ଦୋର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଉଛନ୍ତି। ବିହାର ବିଧାନସଭା ନିର୍ବାଚନ ଜିତିବା ପାଇଁ ତାନ୍ତ୍ରିକଙ୍କଠାରୁ ପରାମର୍ଶ ନେଉଛନ୍ତି ସେ। ବିହାର ବିଧାନସଭା ନିର୍ବାଚନ ଅବସରରେ ରାଲିଗୁଡ଼ିକୁ ଉଦବୋଧନ ଦେବା ଅବସରରେ ଏ କଥା ଏକାଧିକବାର କହି ସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗତକାଲି ମଧ୍ୟ ମୋଦି ଏନେଇ ଟିପ୍ପଣୀ ଦେଇ କହିଥିଲେ ଯେ ‘ତାନ୍ତ୍ରିକରାଜ’ (ନୀତୀଶଙ୍କ ଉଦ୍ଦେଶ୍ୟରେ) ଓ ‘ଜଙ୍ଗଲରାଜ’ (ଲାଲୁଙ୍କ ଉଦ୍ଦେଶ୍ୟରେ) ଏକାଠି ହୋଇଛନ୍ତି। ତେବେ ଏବେ ଯେଉଁ ଖବରଟି ଆସିଛି ତାହା ମୋଦିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ। ତାଙ୍କୁ ସମାଲୋଚନା କରିବାକୁ ନୀତୀଶ ଓ ଲାଲୁଙ୍କୁ ମିଳିଯାଇଛି ଆଉ ଏକ ପ୍ରସଙ୍ଗ। ଜଣାପଡ଼ିଛି ଯେ ମୋଦି ଜଣେ ଜ୍ୟୋତିଷଙ୍କ ପାଖରେ ତାଙ୍କ ହାତ ଦେଖାଇଥିଲେ। ଏହି ଜ୍ୟୋତିଷ ଜଣଙ୍କ ହେଲେ ବେଜାନ୍ ଦାରୁବାଲା। ନିଜେ ଦାରୁବାଲା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହି ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଇନ୍ଦୋର ଆସିଥିବା ବେଳେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ହାତ ସେ ଦେଖିଥିଲେ। ତାଙ୍କ ହାତରେ ଭାଗ୍ୟ ରେଖା ନାହିଁ। କିନ୍ତୁ ପର୍ବତ ଅଛି। ଏହି ପର୍ବତଗୁଡ଼ିକ ତାଙ୍କୁ ଶକ୍ତିଶାଳୀ କରି ଦେଉଛନ୍ତି। ତାଙ୍କର ବ୍ୟକ୍ତିତ୍ୱ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀ ତୁଳନାରେ ଅଧିକ ଔଜଲ୍ୟ ଓ ପ୍ରଭାବଶାଳୀ। ମୋଦିଙ୍କ ବିକାଶ ମୁଦ୍ଦାଗୁଡ଼ିକ ସୁପର-ଡୁପର୍ ହିଟ୍ ରହିବ। ସେ ଆହୁରି ଉପରକୁ ଉଠିବେ। ସେ ଶକ୍ତିଶାଳୀ, କିନ୍ତୁ ତାଙ୍କ ଦଳ ଦୁର୍ବଳ ବୋଲି କହିଛନ୍ତି ଦାରୁବାଲା।