ଟିଭି ଅଭିନେତ୍ରୀଙ୍କୁ ପେଟ୍ରୋଲ ପମ୍ପରେ ଦୁର୍ବ୍ୟବହାର

କୋଲକାତା: ବେଙ୍ଗଲି ଟେଲିଭିଜନ ଅଭିନେତ୍ରୀ ଜୁହି ସେନଗୁପ୍ତା ଓ ତାଙ୍କ ପରିବାର ଲୋକଙ୍କୁ କୋଲକତାର ଏକ ପେଟ୍ରୋଲ ପମ୍ପର କର୍ମଚାରୀମାନେ ଧକା ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥିତି ଜଟିଳ ହେବାରୁ ପୁଲିସ୍‌ ଏଥିରେ ହସ୍ତକ୍ଷେପ କରି ଆପୋଷ ସମାଧାନ କରିଥିଲା।

ଜୁହି ସେନଗୁପ୍ତା ସୋଶାଲ ମିଡିଆରେ ଜାରି କରିଥିବା ବିବୃତି ଅନୁସାରେ, ରବିବାର ସେ ଓ ତାଙ୍କ ପରିବାର ଲୋକ ରୁବି କ୍ରସିଂ ଠାରେ ଥିବା ଏକ ପେଟ୍ରୋଲ ପମ୍ପରେ ଅଟକିଥିଲେ। ଏହି ସମୟରେ ଜୁହିଙ୍କ ବାପା ୧୫ଶହ ଟଙ୍କାରେ ତେଲ କାରରେ ପକାଇବା ପାଇଁ କହିଥିଲେ। ହେଲେ କର୍ମଚାରୀମାନେ ୩ ହଜାର ଟଙ୍କାରେ ତେଲ ପକାଇ ଦେଇଥିଲେ।

ଏନେଇ ଜୁହିଙ୍କ ବାପା ପ୍ରଶ୍ନ କରିବାରୁ କର୍ମଚାରୀମାନେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ଧକା ମାରିଥିଲେ। କର୍ମଚାରୀମାନେ କାରର ଚାବି ମଧ୍ୟ ଛଡ଼ାଇ ନେଇଥିଲେ। ଜୁହି ଏଥିରେ ହସ୍ତକ୍ଷେପ କରିବାରୁ କର୍ମଚାରୀମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଶେଷରେ ସେ ବାଧ୍ୟ ହୋଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆପୋଷ ସମାଧାନ କରିଥିଲା।