ତ୍ରାଲ ରାଲି: ବିକ୍ଷୋଭକାରୀଙ୍କ ପଥର ମାଡ଼, ୧୪ ଆହତ

ନୂଆଦିଲ୍ଲୀ: ସେନାର କାର୍ଯ୍ୟାନୁଷ୍ଠାନରେ ଜଣେ ଯୁବକଙ୍କ ମୃତୁ୍ୟକୁ କେନ୍ଦ୍ର କରି ଗୁରୁବାର ଏଠାରେ ଅନୁଷ୍ଠିତ ଏକ ର୍ୟାଲିରେ ହିଂସାକାଣ୍ଡ ଘଟି ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୁଲିସ୍ କର୍ମଚାରୀ ବି ଅଛନ୍ତି। ଏଥିରେ ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପଥର ମାଡ଼ କରିଥିଲେ। ବିକ୍ଷୋଭକାରୀମାନଙ୍କୁ ଅଟକାଇବା ପାଇଁ ପୁଲିସ ପ୍ରଥମେ ଲାଠି ଚାର୍ଜ କରିଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।

ମୃତ ଯୁବକ ଜଣଙ୍କ ଆତଙ୍କବାଦୀ ଥିଲେ ବୋଲି ସେନା ପକ୍ଷରୁ କୁହାଯାଇଥିବା ବେଳେ ବିଚ୍ଛିନ୍ନତାବାଦୀ ନେତାମାନେ ଦାବି କରିଛନ୍ତି ଯେ ସେ ଜଣେ ସାଧାରଣ ନାଗରିକ ଥିଲେ। ଯୁବକ ଜଣଙ୍କ ତ୍ରାଲର ବାସିନ୍ଦା ଥିଲେ ଓ ସେହିଠାରେ ହିଁ ଏନକାଉଣ୍ଟରରେ ତାଙ୍କ ମୃତୁ୍ୟ ହୋଇଥିଲା। ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ୍ ଉମର ଫାରୁକ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଏହା ସହିତ ରାଜ୍ୟରୁ ତୁରନ୍ତ ଆଫସ୍ପା ଉଠାଇ ନେବାକୁ ସେ ଦାବି କରିଛନ୍ତି।

ଆଜି ମୀରୱାଇଜଙ୍କ ନେତୃତ୍ୱରେ ହିଁ ବିକ୍ଷୋଭକରୀମାନେ ଏକ ରାଲିରେ ବାହାରିଥିଲେ ।ଏହି ରାଲି ତ୍ରାଲ ପର୍ଯ୍ୟନ୍ତ ଯାଇଥାଆନ୍ତା। ଅନ୍ୟପକ୍ଷରେ ଆଜି ସକାଳେ ଆଉ ଜଣେ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମକୁ ପୁଲିସ୍ ତା’ ଘରୁ ଗିରଫ କରିଥିଲା । ଗୁରୁବାରଠାରୁ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଗତ ବୁଧବାର ସେ ଶ୍ରୀନଗରରେ ଆୟୋଜିତ ଏକ ରାଲିରେ ପାକିସ୍ତାନୀ ପତାକା ଉଡ଼ାଇବା ସହିତ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲା । ସେଥିପାଇଁ ତାକୁ ଗିରଫ କରାଯାଇଛି । ତେବେ ତା’ ବିରୁଦ୍ଧରେ ବିଭିନ୍ନ ପ୍ରକାର ୫ଟି ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଦେଶଦ୍ରୋହ ମାମଲା ଲଗାଯାଇନାହିଁ । ଆଉ ଜଣେ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲ୍ଲୀ ଶାହ ଗୀଲାନିଙ୍କୁ ମଧ୍ୟ ଗୃହବନ୍ଦୀ କରି ରଖାଯାଇଛି । ତ୍ରାଲ ରାଲି ପାଇଁ ତାଙ୍କୁ ଗତକାଲିଠାରୁ ଗୃହବନ୍ଦୀ କରାଯାଇଥିଲା ।