ପ୍ରିୟଙ୍କା ଓ ରୋବର୍ଟ ଭଦ୍ରାଙ୍କୁ ଇଂଲଣ୍ଡରେ ଭେଟିଥିଲି: ଲଳିତ ମୋଦି

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ଲଳିତ ମୋଦି ଲଣ୍ଡନରେ ଗାନ୍ଧି ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ। ନିଜେ ମୋଦି ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲଣ୍ଡନରେ  ପ୍ରିୟଙ୍କା ଗାନ୍ଧି ଓ ରୋବର୍ଟ ଭଦ୍ରାଙ୍କ ସହ ୨୦୧୩-୨୦୧୪ରେ ଭିନ୍ନ ଭିନ୍ନ ସମୟରେ ସାକ୍ଷାତ କରିଥିବା ସେ କହିଛନ୍ତି। ଗାନ୍ଧି ପରିବାରର ସଦସ୍ୟଙ୍କ ସହ ସାକ୍ଷାତ କରି ଖୁସି ଅନୁଭବ କରିଥିଲେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏ ନେଇ ସଫେଇ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଲଣ୍ଡନରେ ଗାନ୍ଧି ପରିବାର ସହ ଲଳିତ ମୋଦିଙ୍କ ସାକ୍ଷାତ ପାଇଁ ପୂର୍ବରୁ କୌଣସି ଯୋଜନା ହୋଇ ନ ଥିଲା। ରେସ୍ତରାଁରେ ହଠାତ୍ ତାଙ୍କ ସହ ସାକ୍ଷାତ ହୋଇଥିଲା।

ସୂଚନାଯୋଗ୍ୟ,  ମୋଦିଙ୍କୁ ସାହାଯ୍ୟ କରିଥିବା ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଡୁଆରେ ପଡ଼ିଛନ୍ତି। କଂଗ୍ରେସ ସେମାନଙ୍କର ଇସ୍ତଫା ଦାବି କରିଆସୁଛି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ  ମୋଦି ପ୍ରତିଦିନ କିଛି ନୂଆ ତଥ୍ୟ ଖୁଲାସ କରିବାରେ ଲାଗିଛନ୍ତି। ଏହାପୂର୍ବରୁ ଲଳିତ ମୋଦି ରାଷ୍ଟ୍ରପତି ଭବନର ସେକ୍ରେଟେରୀଙ୍କ ନାମ ନେଇଥିଲେ। ସେହିପରି ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ନାମ ବି ନେଇ ସାରିଛନ୍ତି।