ଭାରତୀୟ ଛାତ୍ରୀଙ୍କ ପ୍ରଶ୍ନରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ସ୍ତବ୍ଧ

ଲଣ୍ଡନ: ନିର୍ବାଚନ ପ୍ରଚାର ବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କ ମୁହଁ ବନ୍ଦ କରି ଦେଇଥିଲେ ଭାରତୀୟ ବଂଶୋଦ୍ଭବର ଜଣେ ୧୦ ବର୍ଷୀୟ ଛାତ୍ରୀ। ଗ୍ରେଟର ମଞ୍ଚେଷ୍ଟରର ସାଲଫୋଇର ଏହି ଛାତ୍ରୀ  ବିବିସିର ଏକ କାର୍ଯ୍ୟକ୍ରମରେ ଡେଭିଡ୍ କାମେରୁନଙ୍କୁ ପଚାରିଥିଲେ ଯେ ମେ’ ୭ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଆପଣ ନିଜ ବ୍ୟତୀତ ଆଉ କାହାକୁ ବିଜୟୀ ଭାବେ ଦେଖିବାକୁ ଚାହାଁନ୍ତି। ଯଦି ନିଜ ବ୍ୟତୀତ ଆଉ କାହାକୁ ବାଛିବାକୁ କୁହାଯାଏ ତା’ହେଲେ ସେ କାହାକୁ ଭୋଟ୍ ଦେବେ। ଏ ପ୍ରଶ୍ନରେ ଡେଭିଡ୍ ସ୍ତବ୍ଧ ହୋଇଯାଇଥିଲେ। ସେ ଅଶ୍ୱସ୍ତି ଅନୁଭବ କରିଥିଲେ। ତାଙ୍କ ମୁହଁରୁ ହଠାତ୍ କିଛି ବାହାରି ନ ଥିଲା। ଅବଶ୍ୟ ପରେ ସେ ବେଶ୍ ଚାଲାକିରେ ଏହାର ଉତ୍ତର ଦେଇଥିଲେ। ଡେଭିଡ୍ କହିଥିଲେ ଯେ ଯଦି ଆଉ କାହାକୁ ବାଛିବାକୁ ହୋଇଥାଆନ୍ତା, ତା’ହେଲେ ସେ ନିଜେ ନିର୍ବାଚନରେ ଛିଡ଼ା ହୋଇନଥାଆନ୍ତେ। ତେଣୁ ସେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁବେ ନାହିଁ।